ଜଳେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାଜିଛି ଦିଗହରା। ଏହି ଯୋଜନାରେ ଦୀର୍ଘଦିନ କାମ କରି ମଧ୍ୟ ଶ୍ରମିକଙ୍କୁ ତାଙ୍କର ପାରିଶ୍ରମିକ ମିଳୁନି। କିନ୍ତୁ ସେମାନଙ୍କୁ ପାରିଶ୍ରମିକ କେବେ ମିଳିବ ତାକୁ ନେଇ ଏବେ ଅନିଶ୍ଚିତତା ଦେଖା ଦେଇଛି। ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳରେ ଅଣକୁଶଳୀ ଶ୍ରମିକଙ୍କୁ ରୋଜଗାର ଦେଇ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା।ଯାହା ଦ୍ୱାରା ସେମାନଙ୍କୁ ଆର୍ଥିକ ବର୍ଷରେ ଅନୁଣ୍ୟ ୧୦୦ ଦିନର ରୋଜଗାର ମିଳିପାରିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ଯୋଜନା ଓ ଯୋଜନାର ଉଦେଶ୍ୟ ଦିଗହରା ହେଉଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ସ୍ଥିତ ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତରେ ଏହିପରି ଦେଖା ଦେଇଛି।
ଏହି ପଞ୍ଚାୟତର ବେଗୁନିଆ ଗ୍ରାମରେ ଥିବା, ବେଗୁନିଆ ଛକ ଅସମ୍ପୁର୍ଣ ରାସ୍ତା ଠାରୁ ପିତାମରି ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହେଉଛି। ଯାହା ଗତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହେଉଛି। ଦୈନିକ ହାରାହାରି ୪୦ ଜଣ ମହିଳା ଓ ପୁରୁଷ ଶ୍ରମିକ ୨୨୨ ଟଙ୍କା ଦିନ ମଜୁରୀ ହାରରେ କାମ କରୁଛନ୍ତି। ତେବେ ପ୍ରତେକ ସପ୍ତାହରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେମାନଙ୍କୁ ତାଙ୍କର ପାରିଶ୍ରମିକ ମିଳିବାର ନିୟମ ଥିବାବେଳେ, ଚାରି ସପ୍ତାହ ପୁରିବାକୁ ବସିଥିବା ବେଳେ, କାର୍ଯ୍ୟରତ ଶ୍ରମିକ ମାନେ ତାଙ୍କର ପାରିଶ୍ରମିକ ପାଇବାରୁ ବଞ୍ଚିତ ରହିଛନ୍ତି ।
ମାତ୍ର ସେମାନେ ଅନ୍ୟତ୍ର କାମ କରି ଦୈନିକ ୩୦୦ ରୁ ୪୦୦ ଟଙ୍କା ରୋଜଗାର କରୁଥିବା ବେଳେ,ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୈନିକ ୨୨୨ ଟଙ୍କା ହାରରେ, ମୁଣ୍ଡ ଫଟା ଖରାରେ କାମ କରି ମଧ୍ୟ ସଠିକ ସମୟରେ ପାରିଶ୍ରମିକ ପାଇ ପାରୁନାହାନ୍ତି ଯାହାକୁ ନେଇ ଅସନ୍ତୋଷ ଜାହିର କରିବା ସହିତ, ବିଭାଗୀୟ ଅଧିକାରୀ ମାନେ ମୋଟା ଅଙ୍କରେ ଦରମା ପାଇ, ଏସି ରୁମରେ ବସିରହୁଛନ୍ତି ବୋଲି ଶ୍ରମିକ ମାନଙ୍କର ଦୁଃଖ କଷ୍ଟ ହୃଦବୋଧ କରି ପାରୁନହାନ୍ତି ବୋଲି ଆରୋପ ଆଣିବା ସହିତ ପାରିଶ୍ରମିକ ନପାଇ ଚଢା ଦରଦାମ ବୃଦ୍ଧିରେ କେମିତି ତେଲ ଲୁଣ ସଂସାର ଚଳାଇବେ ପ୍ରଶ୍ନ କରିଛନ୍ତି କାର୍ଯ୍ୟରତ ଶ୍ରମିକ।
ଏନେଇ ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁଙ୍କୁ ପଚାରିବାରୁ ଅତି ଦାୟିତ୍ୱହୀନ ଭାବେ ,ଏହା କେବଳ ପାଉଁଶକୁଲି କିମ୍ବା ବସ୍ତା ବ୍ଲକ ର ସମସ୍ୟା ନୁହଁ ଏହା ପୁରା ଦେଶର ସମସ୍ୟା, ତେବେ ସେ କୌଣସି ଅଭିଯୋଗ ପାଇ ନାହାନ୍ତି, ତାଙ୍କୁ ବିଦ୍ଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିଲେ ସମସ୍ୟାରେ ସମାଧାନ କରାଯିବ ବୋଲି କହିଛନ୍ତି। ତେବେ ବିଭଗିୟ ଅଧିକାରୀଙ୍କ ଏଭଳି ମନ୍ତବ୍ୟ ସ୍ପଷ୍ଟ କରୁଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ପ୍ରତି କେତେ ଯତ୍ନବାନ ରହିଛନ୍ତି।