ବିଜେଡିର ରାଜ୍ୟସଭା ରେସ୍- କାହାକୁ ବାଛିବେ ପାର୍ଟି ହାଇକମାଣ୍ଡ ନବୀନ

ଭୁବନେଶ୍ୱର: ବିଜେଡି ଶିବିରରେ ଆରମ୍ଭ ହୋଇଛି ରାଜ୍ୟସଭା ରେସ୍ । ଆସନ୍ତା ଜୁଲାଇରେ ସରୁଛି ୩ ଓଡିଆ ସାଂସଦଙ୍କ କାର୍ଯ୍ୟକାଳ । ଖାଲି ହେବ ଓଡିଶାର ୩ ରାଜ୍ୟସଭା ଆସନ । ଏଥି ସହିତ କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାସ ସିଂଙ୍କ ଆସନ ବି ହେବ ଖାଲି । ତେବେ ଏହି ୪ଟି ଆସନ ଆସନ ପାଇଁ କିଏ ଯିବ ରାଜ୍ୟସଭା? କିଏ ହେବ ନବୀନଙ୍କ ଭରସା ଯୋଗ୍ୟ ନେତା ? କାହା ମୁଣ୍ଡରେ ସୁନା କଳସ ଢାଳିବେ ବିଜେଡି ସୁପ୍ରିମୋ । ତାକୁ ନେଇ ଦଳୀୟ ଶିବିରରେ ଆରମ୍ଭ ହୋଇଯାଇଛି ନା ନା କଳ୍ପନା ଜଳ୍ପନା ।

ଅନ୍ୟପକ୍ଷେ, ଆଶାୟୀଙ୍କ ତାଲିକା ବଢୁଥିବାରୁ ୪ ରାଜ୍ୟସଭା ଆସନ ପାଇଁ ଦାବିଦାରକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ । ଯାହାକୁ ନେଇ ଦଳୀୟ ନେତାଙ୍କ ଭିତରେ ଚାଲିଲାଣି ଛକାପଞ୍ଚା । ସରକାରୀ ଅଧିକାରୀ, ସିନେ ତାରକା ଓ ପାର୍ଟିପାୱରରେ ଥିବା ନେତା କରିଡରରେ ଆରମ୍ଭ କରି ଦେଇଛନ୍ତି ପାର୍ଟି ହାଇକମାଣ୍ଡଙ୍କ ନିକଟରେ ଜୋରଦାର ଲବି । ସୁବାସ ସିଂଙ୍କ ଆସନରେ ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମୀତା ବାଗଚି, ଶ୍ରୀମୟୀ ମିଶ୍ର, କଳିକେଶ ସିଂ ଦେଓ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅରିନ୍ଦମଙ୍କ ନାଁ ବେଶ୍ ଚର୍ଚ୍ଚା ହେଉଛି ।

ଏହା ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ । ଆସିବିନି ଆସିବିନି କହି ରାଜନୀତି ଠାରୁ ଦୂରେଇ ରହୁଥିବା ବର୍ଷା, ଧିରେ ଧିରେ ରାଜନୀତିରେ ଗୋଡ଼ ପୂରାଇବା ଆରମ୍ଭ କରିଛନ୍ତି । ବିଜେଡି ଦଳରେ ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତିଆରା କମୁଥିବା ବେଳେ, ବିଜେଡି ଛତା ତଳକୁ ଆସିବା ଆରମ୍ଭ କରିଛନ୍ତି ବର୍ଷା । ଅନୁଭବ ମହାନ୍ତିଙ୍କ ପ୍ରସଙ୍ଗ ଶଙ୍ଖ ଦଳର ମହିଳା ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଉଛି ଏବଂ ଅନୁଭବଙ୍କ ଲୋକପ୍ରିୟତା କମିବାରେ ଲାଗିଛି । ତେଣୁ ଚର୍ଚ୍ଚା ହେଉଛି ବିଜେଡିରେ ଆଉ ବାଳୁଙ୍ଗା ଟୋକା ଅର୍ଥାତ ଅନୁଭବଙ୍କ କୌଣସି ଆବଶ୍ୟକତା ନାହିଁ । ତେଣୁ ବର୍ଷାଙ୍କୁ ସାହାରା କରି ଅନୁଭବଙ୍କୁ ନେଇ ମହିଳା ମାମଲାରେ ଭାବମୂର୍ତ୍ତି ହାନିକୁ ପୂରଣ କରିପାରେ ଦଳ । ସେପେଟ ଦଳ ତରଫରୁ ଅପରାଜିତାଙ୍କ ଟ୍ୱିଟ୍କୁ କାଉଣ୍ଟର ପାଇଁ ବର୍ଷାଙ୍କୁ ବ୍ୟବହାର କାରାଯାଇଥିବା ଚର୍ଚ୍ଚା ଜୋର ଧରିଛି ।

ସିଟ୍ କମ୍ ଆଶାୟୀ ଅନେକ । ବିଜେଡି କହିଛି ରାଜ୍ୟସଭା କିଏ ଯିବ ଆଉ କିଏ ଯିବ ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ତେବ ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଆଶାୟୀଙ୍କୁ ପ୍ରାର୍ଥି କରୁଛନ୍ତି ନା ପୁଣି କେଉଁ ନୂଆ ଚେହେରାକୁ ସାମ୍ନାକୁ ଆଣୁଛନ୍ତି ତାହା ସମୟ ହିଁ କହିବ । ତେଣୁ ଦକ୍ଷତା ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସାମ୍ପ୍ରତିକ ସ୍ଥିତିକୁ ମାପଦଣ୍ଡ କରିପାରନ୍ତି ନବୀବ ।