ସମ୍ବଲପୁର: ଆଠ ବର୍ଷର ଶିଶୁ କନ୍ୟାକୁ ନିର୍ମମ ଭାବେ ହତ୍ୟା । ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିବା ପରେ କଟା ମୁଣ୍ଡକୁ ଧରି ଗାଁ’ରେ ବୁଲିଲା ହତ୍ୟାକାରୀ । ଏହିଭଳି ଲୋମଟାଙ୍କୁରା ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ, କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଆଜି ସକାଳୁ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିବା ସମୟରେ ହତ୍ୟାକାରୀ ଯୁବକ ଏହିଭଳି କାଣ୍ଡ ଘଟାଇଥିଲା ।
ଗ୍ରାମର ପ୍ରଶାନ୍ତ ବଗାର ଏକ ଧାରୁଆ ଟାଙ୍ଗିଆରେ ଶିଶୁକନ୍ୟାର ଗଳାକୁ ନିର୍ମମ ଭାବେ କାଟି, କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିଥିଲା। ଏବଂ ପରିଶେଷରେ ଶିଶୁଟିର କଟା ମୁଣ୍ଡକୁ ଏକ ନଳକୂପ ନିକଟରେ ପକାଇ ଦେଇଥିଲା । ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଛାତି ଥରା ଦୃଶ୍ୟ ଦେଖିବାକୁ ପାଇଥିଲେ । ଘଟଣା ବିଷୟରେ ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରିଛି । ତେବେ ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଘଟଣାରେ ଅମାନବିକତାର ସବୁ ସୀମା ପାର କରୁଛନ୍ତି ଅପରାଧୀ ।