ବୀରଭୂମ ଗଣପୋଡି ଘଟଣାରେ ସଂସଦରେ ଭୋ-ଭୋ ହୋଇ କାନ୍ଦିଲେ ସାଂସଦ ରୂପା ଗାଙ୍ଗୁଲି

ନୂଆଦିଲ୍ଲୀ: ସଂସଦରେ ଉଠିଲା ବୀରଭୂମ ହିଂସାକାଣ୍ଡର ପ୍ରସଙ୍ଗ | ଆଜି ଶୂନ୍ୟକାଳରେ ବୀରଭୂମ ପ୍ରସଙ୍ଗ ଉଠାଇ ଥିଲେ ସାଂସଦ ରୂପା ଗାଙ୍ଗୁଲି । ଟିଏମସି ସମସ୍ୟା ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୀରଭୂମ ହିଂସାକାଣ୍ଡ ଘଟଣାକୁ ନେଇ ନିଜ ବକ୍ତବ୍ୟ ରଖିବା ସମୟରେ ଭାବବିହ୍ୱଳ ହୋଇଯାଇଥିଲେ ରୂପା ଗାଙ୍ଗୁଲି । ପଶ୍ଚିମବଙ୍ଗର ରାଜନୈତିକ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଥିଲେ।

ଶୁକ୍ରବାର ଦିନ ବିଜେପି ସମେତ ଅଧିକାଂଶ ଦଳ ରାଜ୍ୟସଭାରେ ଟିଏମସି ପକ୍ଷରୁ ବୀରଭୂମ ହିଂସା ଘଟଣାର ଉତ୍ତର ମାଗିଥିଲେ। ବଙ୍ଗଳାର ବିଜେପି ସାଂସଦ ରୂପା ଗାଙ୍ଗୁଲି ମଧ୍ୟ ବୀରଭୂମ ଘଟଣାରେ ରାଜ୍ୟସଭାରେ ଟିଏମସି ଉପରେ ବର୍ଷିଛନ୍ତି। ତେବେ ସେ ନିଜ ବକ୍ତବ୍ୟ ରଖିବା ସମୟରେ ହଠାତ୍ ଭାବବିହ୍ୱଳ ହୋଇ କାନ୍ଦିବାକୁ ଲାଗିଥିଲେ ।ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି, “ଆମେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଶାସନ ଚାହୁଁଛୁ। ସେଠାରେ ବହୁ ହତ୍ୟାକାଣ୍ଡ ଘଟିଛି।ସେହି ରାଜ୍ୟରେ ରହିବା ଆଉ ସମ୍ଭବପର ନୁହେଁ। ବୀରଭୂମି ନରସଂହାର ପରେ ଅନେକ ଲୋକ ଭୟରେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ।”

ସେ କହିଛନ୍ତି, ବୀରଭୂମ ଜିଲ୍ଲାରେ ଦୁଇ ଶିଶୁଙ୍କ ସମେତ ୮ ଜଣଙ୍କୁ ନିର୍ମମ ଭାବେ ପୋଡ଼ି ଦିଆଯାଇଥିଲା। ରାଜ୍ୟ ପୋଲିସ ଏବଂ ଆଇନ ବ୍ୟବସ୍ଥା ଉପରେ କାହାର ବିଶ୍ୱାସ ନାହିଁ। ପଶ୍ଚିମବଙ୍ଗରେ ୭ ଦିନରେ ୨୬ ଜଣଙ୍କର ହତ୍ୟା ହେଲାଣି । ଘଟଣାରେ ଅନେକ ଆହତ ହେଲେଣି । ଶେଷକୁ ଲୋକଙ୍କ ହାତଗୋଡ ବାଡେଇ ବାନ୍ଧି, ତାଙ୍କୁ ଜୋରଜବରଦସ୍ତି ଘରେ ବନ୍ଦ କରି ନିଆଁ ଲଗାଇ ଦିଆଯାଇଛି । ଏହା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି କହିଥିଲେ ରୂପା ଗାଙ୍ଗୁଲି ।

ସେ କହିଥିଲେ, ସେଠାକାର ଲୋକମାନେ ବଞ୍ଚିବାର ଅବସ୍ଥାରେ ନାହାଁନ୍ତି। ପଶ୍ଚିମବଙ୍ଗ ହେଉଛି ଭାରତର ଏକ ଅଂଶ | ତେଣୁ ଏହି ହିଂସାକାଣ୍ଡର ରୋକ୍ ପାଇଁ ଆମେ ରାଷ୍ଟ୍ରପତିଙ୍କ ଶାସନ ଚାହୁଁ। ଆମର ବଞ୍ଚିବାର ଅଧିକାର ଅଛି। ଏଠି ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ । ଆମକୁ ବଞ୍ଚିବାର ଅଧିକାର ଅଛି । ପଶ୍ଚିମବଙ୍ଗରେ ଜନ୍ମ ହେବା କିଛି ଅପରାଧ ନୁହେଁ’ ବୋଲି କହିବା ବେଳକୁ ରୂପାଙ୍କ ଆଖିରୁ ଧାରଧାର ଲୁହ ଝରିଆସିଥିଲା । ସେ ନିଜ କୋହକୁ ସମ୍ଭାଳିପାରିନଥିଲେ ଏବଂ ଆଉ କିଛି କହିପାରିନଥିଲେ ରୂପା । ଗାଙ୍ଗୁଲିଙ୍କ ଏହି ବିବୃତ୍ତି ପରେ ବିଜେପି ଏବଂ ଟିଏମସି ସାଂସଦମାନେ ସଂସଦରେ କଳହ ସୃଷ୍ଟି କରିଛନ୍ତି।