ସ୍କ୍ରାପ୍ ଗୋଦାମରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୧ ଶ୍ରମିକ

ମୃତ ଶ୍ରମିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ହାଇଦ୍ରାବାଦ: ହାଇଦ୍ରାବାଦର ବୋଇଗୁଡା ଅଞ୍ଚଳରେ ଏକ ସ୍କ୍ରାପ୍ ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଶ୍ରମିକ ଜୀବନ୍ତ ଦଗ୍ଧ | ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଭୋଇଗୁଡାଠାରେ କବାଡ଼ି ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ କାରଣରୁ ଏହିଭଳି ଘଟିଥିବା ସୂଚନା ମିଳିଛି । ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ବିହାରର ବାସିନ୍ଦା ଏବଂ ଏହି କବାଡି ଗୋଦାମରେ କାମ କରୁଥିବା ନେଇ ସୂଚନା ମିଳିଛି ।ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି | ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ହାଇଦ୍ରାବାଦ ଡିସିପି ସେଣ୍ଟ୍ରାଲ ଜୋନ୍ କହିଛନ୍ତି ଯେ, ସମସ୍ତ ୧୧ଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଥିବା ବେଳେ ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ସୂଚନା ଅନୁସାରେ, କବାଡ଼ି ଗୋଦାମର ପ୍ରଥମ ମହଲାରେ ୧୧ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ହଠାତ୍‌ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଯାଇଥିଲା । ଫଳରେ ଶ୍ରମିକଙ୍କ ବାହାରିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଥିଲା ।ଫଳରେ ନିଆଁରେ ପୋଡ଼ିଯାଇ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା । ପୋଲିସର ସୂଚନା ଅନୁସାରେ ଫାୟାର କଣ୍ଟ୍ରୋଲ ରୁମକୁ ପ୍ରାୟ ଭୋର ୩ ଟା ସମୟରେ ନିଆଁ ଲାଗିଯାଇଥିବା ନେଇ ଖବର ମିଳିଥିଲା। ଏହାପଟେ ୯ ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୩ ଘଣ୍ଟା ସମୟ ଲାଗିଥିଲା ବୋଲି ପୋଲିସ କହିଛି ।

ତେବେ ଏହି ଅଗ୍ନିକାଣ୍ଡ ଘଟଣାରେ ବିହାରର ଶ୍ରମିକଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତ ଶ୍ରମିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଶ୍ରମିକଙ୍କ ମୃତଦେହ ବିହାରକୁ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରିଛନ୍ତି।