ନୂଆଦିଲ୍ଲୀ: ଚୀନ୍ କୁ ନେଇ ବଢ଼ିଲା ଚିନ୍ତା । ପୁଣିଥରେ ଚାଇନାରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି ।ତେବେ କେବଳ ସେତିକି ନୁହେଁ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣର ମାତ୍ରା ଅର୍ଥାତ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ସୂଚନା ଅନୁଯାୟୀ ଆଜି ଚୀନରେ ୫୨୮୦ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପୂର୍ବ ସଂକ୍ରମଣ ସଂଖ୍ୟାର ଦୁଇ ଗୁଣ । ଏହା ଦେଶର ସବୁଠାରୁ ଦ୍ରୁତ ସଂକ୍ରମଣ ବୋଲି କୁହାଯାଉଛି

- ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବ ଚେତାବନୀ
ଅନ୍ୟପକ୍ଷେ, ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ପୂର୍ବ ଚେତାବନୀ ଦେଇଛି । ଡବ୍ଲୁଏଚଓ କହିଛି ଯେ, ଏହି ସଂକ୍ରମଣ ଚତୁର୍ଥ ଲହର ଆଣିପାରେ । ଡେଲଟା ଏବଂ ଓମିକ୍ରନ୍ ମିଳନରେ ଏହି ସଂକ୍ରମଣର ବୃଦ୍ଧି ଘଟୁଛି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ନୂତନ ଭାରିଆଣ୍ଟର ସଂକ୍ରମଣ ଯୋଗୁ ଚାଇନାର ଏବେ ପର୍ଯ୍ୟନ୍ତ ୧୦ଟି ସହରରେ ଲକଡାଉନ ଲାଗୁ କରାଯାଇଛି । ଲକଡାଉନ କାରଣରୁ ପ୍ରାୟ ୩ କୋଟିରୁ ଅଧିକ ଲୋକ ଗୃହବନ୍ଦୀ ହୋଇଛନ୍ତି ।

- ଚାଇନାର ୩ ସହରରେ ଲକଡାଉନ୍ ଲାଗୁ
ସୂଚନା ଅନୁଯାୟୀ, ଏହି ସଂକ୍ରମଣ ଦ୍ୱାରା ଚୀନର ଜିଲିନ୍ ସହର ସର୍ବାଧିକ ପ୍ରଭାବିତ ହୋଇଛି । ଚୀନ୍ର ଜିଲିନ୍ ସହରର ରାଜଧାନୀ ଚାଙ୍ଗଚୁନ୍ରେ ଏନେଇ ଲକଡାଉନ୍ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ସହରର ୯୦ ଲକ୍ଷ ଲୋକଙ୍କୁ ଜରୁରୀକାଳୀନ ସତର୍କତା ପରେ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲିନରେ ସର୍ବାଧିକ ୩୦୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଅନ୍ୟପକ୍ଷରେ ସଂକ୍ରମଣ ହାରରେ ହଠାତ୍ ବୃଦ୍ଧି ଯୋଗୁ ଦେଶର ବହୁ ସହରରେ ଲକଡାଉନ ଘୋଷଣା କରିବା ସହ କୋଟି କୋଟି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର ।

- ୩ କୋଟିରୁ ଅଧିକ ଲୋକ ଗୃହବନ୍ଦୀ
ତେବେ ଚୀନରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଣ୍ଟ ଅନ୍ୟ ଦେଶ ଗୁଡ଼ିକ ପାଇଁ ଆଗକୁ ଯାଇ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥି ସହିତ, ଶାନ୍ଦୋଙ୍ଗ ସହରର ୟୁଚେଙ୍ଗରେ ମଧ୍ୟ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁଠାରେ ଜନସଂଖ୍ୟା ପ୍ରାୟ 5 ଲକ୍ଷ | ଏଭଳି ପରିସ୍ଥିତିରେ ଚାଇନାର ସମୁଦାୟ ତିନୋଟି ସହର ତାଲା ବନ୍ଦ ପରିସ୍ଥିତିର ସମ୍ମୁଖୀନ ହେଉଛି, ଯେଉଁଥିପାଇଁ ପ୍ରାୟ ୩ କୋଟିରୁ ଅଧିକ ଲୋକ ନିଜ ଘରେ ତାଲା ବନ୍ଦ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।