ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ୍ ଚାଲିଛି ଧଳା ଜହର କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନକୁ ଦିନ ସକ୍ରିୟ ହେଉଛନ୍ତି ଧଳା ଜହର ବେପାରୀ । ଆଜି ଜଟଣୀରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣା ସ୍ଥଳରୁ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ । ସୂଚନା ଅନୁଯାୟୀ, ବ୍ରାଉନ୍ସୁଗାର କାର୍ବାର ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏସ୍ଟିଏଫ୍ ଟିମ୍ ଜଟଣୀ ରାଜାବଜାରରେ ଚଢ଼ାଉ କରିଥିଲା ।

ତେବେ ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ସୂଚନା ମିଳିଛି । ଏହାସହ ଘଟଣାରେ ଗିରଫ ୩ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଟିଏଫ ପକ୍ଷରୁ ସୂଚନା ମିଳିଛି । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍ ସମୀର, ସୟଦ୍ ଇମ୍ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା, ଏବଂ ଗୋଟିଏ ବାଇକ୍ ଜବତ ହୋଇଛି ।