(ଭୁବନେଶ୍ୱର) : ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୨,୩୭୯ଟି ବୁଥ୍ର ବ୍ୟବସ୍ଥା ହୋଇଛି।
ସୂଚନାନୁଯାୟୀ , ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨୦୦ଟିରେ ଭୋଟ୍ ଗ୍ରହଣ କରାଯାଉଛି। ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ନିମନ୍ତେ ମୋଟ ୨୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ରାଜ୍ୟ ସଶସ୍ତ୍ର ପୁଲିସ, ଇଣ୍ଡିଆନ ରିଜର୍ଭ ବାଟାଲିୟନ ଓ ସ୍ପେଶାଲ ରିଜର୍ଭ ବାଟାଲିୟନର ଯବାନଙ୍କ ସମେତ ମୋଟ ୩୭,୨୪୫ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି।