ଜିଲ୍ଲା ପାଠାଗାରରେ ତାଲା, ଦୂରତା ଯୋଗୁଁ ପାଠକ ଶୂନ…

ମାଲକାନଗିରି/ସୂର୍ୟ୍ୟକାନ୍ତ ବେହେରା : ମାଲକାନାଗିରି ଜିଲ୍ଲା ଡିଏନକେ ସ୍ଥିତ ସର୍କିଟ ହାଉସ ଠାରେ ଦୀର୍ଘ ଦିନ ହେବ କାର୍ଯ୍ୟକ୍ଷମ ହୋଇ ଆସୁଥିଲା ଜିଲ୍ଲା ପାଠାଗାର । ମାତ୍ର ପ୍ରାୟ ବର୍ଷେ ହେବ ପାଠାଗାରଟିକୁ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଡର୍ଣ୍ଣ ଡିଗ୍ରୀ କଲେଜ କୋଠାକୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରି ଟାଉନ୍ ଠାରୁ ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂର ହେତୁ କୌଣସି ପାଠକ ଯିବା ପାଇଁ ଇଛା ପ୍ରକାଶ କରନ୍ତି ନାହିଁ ,ଫଳରେ ବର୍ତ୍ତମାନ ଜିଲ୍ଲା ପାଠାଗାରରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଡିଏନକେ ସ୍ଥିତ ସର୍କିଟ୍ ହାଉସ ଠାରେ ଦୀର୍ଘ ଦିନ ହେଲା ଜିଲ୍ଲା ପାଠାଗରଟି କାର୍ୟ୍ୟକ୍ଷମ ହୋଇ ଆସୁଥିଲା ଓ ସେଠାରେ ମାଲକାନଗିରି ଟାଉନର ପାଠକମାନେ ଖବର କାଗଜ,ପତ୍ରିକା ଏବଂ ଅନ୍ୟାନ୍ୟ ପୁସ୍ତକ ପଢିବାର ସୁଯୋଗ ପାଉଥିଲେ ।ଛାତ୍ର,ଛାତ୍ରୀ,ଶିକ୍ଷକ,ଅଧ୍ୟାପକ ,ଅବସର ପ୍ରାପ୍ତ କର୍ମଚାରୀ,ସରକାରୀ କର୍ମଚାରୀ,ଜନ ସାଧାରଣ,ସାମ୍ବାଦିକ ଏବଂ ବରିଷ୍ଠ ନାଗରିକ ମାନେ ସକାଳେ ଏବଂ ସଂଧ୍ୟାରେ ଉକ୍ତ ପାଠାଗାରରେ ପଢି ଜ୍ଞାନାର୍ଜନ କରୁଥିଲେ କିନ୍ତୁ ତତ୍କାଳିନ ଜିଲ୍ଲାପାଳ ୱାଇ ବିଜୟଙ୍କ ସମୟରେ ଡିଏନକେ ଠାରେ ଥିବା ପାଠାଗାରଟି ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଡର୍ଣ୍ଣ ଡିଗ୍ରୀ କଲେଜକୁ ସ୍ଥାନାନ୍ତର ହୋଇ ଯାଇଥିଲା । ।ତେବେ ମଡର୍ଣ୍ଣ ଡିଗ୍ରୀ କଲେଜର ନିଜସ୍ବ କୋଠା ଏମଭି-୩ ଗ୍ରାମରେ ସ୍ଥାପନ ହେବା ଫଳରେ କଲେଜଟି ସେଠାକୁ ସ୍ଥାନାନ୍ତର ହୋଇଗଲା କିନ୍ତୁ ଜନ ବସତି ଠାରୁ ବର୍ତ୍ତମାନର ଜିଲ୍ଲା ପାଠାଗାରଟି ଦୂର ହେତୁ ଜଣେ କେହି ପାଠକ ଯିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ଫଳରେ ଉକ୍ତ ପାଠାଗାରରେ ତାଲା ଝୁଲୁଥିବାବେଳେ ବର୍ତ୍ତମାନ ହଜାର ହଜାର ବହି ଖତ ଖାଉଛି ।ଜିଲ୍ଲା ପାଠାଗାରଟି ଥିଲେ ମଧ୍ୟ କୌଣସି ପାଠକମାନଙ୍କ କାମରେ ଆସୁ ନାହିଁ ବରଂ ଏହା ଭୂତ କୋଠିରେ ପରିଣତ ହେବାକୁ ଯାଉଛି ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, ଦୈନିକ ଖବର କାଗଜ କ୍ରୟ କରି ଅଯଥା ଅର୍ଥକୁ ଅପବ୍ୟୟ କରିବାର ଯଥାର୍ଥତା କଣ ରହିଛି ?ଯଦି ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପାଠାଗାରଟି ଉତ୍ସର୍ଗ,ତେବେ ଜନବସତି ଠାରେ ପାଠାଗାରଟି ରହିବା ଆବଶ୍ୟକ ବୋଲି ପାଠକ ମହଲରେ ଅଭିଯୋଗ ହୋଇଛି ଓଅନ୍ୟ ପକ୍ଷରେ ଡିଏନକେ ଠାରେ ସରକାରୀ କୋଠା ଖାଲି. ପଡିଥିଲା ବେଳେ ଏତେ ଦୂରକୁ ଜିଲ୍ଲା ପାଠାଗାରଟିକୁ ସ୍ଥାନାନ୍ତର କରି ଶହ ଶହ ଛାତ୍ର ଛାତ୍ରୀ,ଶିକ୍ଷକ,ଅଧ୍ୟାପକ ଏବଂ ବିରିଷ୍ଠ ନାଗରିକମାନଙ୍କୁ ଜ୍ଞାନାର୍ଜ୍ଜନରୁ ବଞ୍ଚିତ କରିବା ଜିଲ୍ଲା ପ୍ରଶାସନର ଭୁଲ ପଦକ୍ଷପ ବୋଲି ଚର୍ଚ୍ଚା ଜୋର ଧରିଛି ।