ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ପଡିଲା ମହଙ୍ଗା

(ମୟୁରଭଞ୍ଜ) : ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଠେଙ୍ଗାରେ ପିଟି ପିଟି ମାରିଦେଲେ ମହିଳାଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ମଡ଼ାଉକା ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଲେ ମଡ଼ାଉକା ଗ୍ରାମର ରଥ ଧଳ (୪୦) ।
ସୂଚନାରୁ ପ୍ରକାଶ ଯେ ଗତକାଲି ସାତଭାୟା ହାଟକୁ ରଥ ଧଳ ଯାଇଥିବାବେଳେ ସେଠାରେ ଜଣେ ମହିଳାଙ୍କୁ ସେ କୁଆଡ଼େ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗ କରିଥିଲେ ମହିଳା ଜଣକ । ତେବେ ସେ ତାଙ୍କ ଘରକୁ ଆସି ଘଟଣା ବିଷୟରେ ଜଣାଇଥିଲେ । ଏ କଥା ଶୁଣିବା ପରେ ଘର ଲୋକ ରକ୍ତମୁଖା ହୋଇ ରଥଙ୍କୁ ଖୋଜିଥିଲେ ଏବଂ ସେହି ରାତିରେ ତାଙ୍କୁ ଖୋଜି ବାଉଁଶ ଠେଙ୍ଗାରେ ମାଡ଼ ମାରିଥିଲେ। ଏକା ସାଙ୍ଗରେ ୬ ଜଣଙ୍କ ଆକ୍ରମଣରେ ରଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ମୃତଦେହ ଅଭିଯୁକ୍ତଙ୍କ ଘର ନିକଟରେ ପଡ଼ିଥିବା ଦେଖି ମୃତକଙ୍କ ପତ୍ନୀ ବସୁମତି ଶୁଳିଆପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।