ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଜନପ୍ରିୟ ଏବଂ ବହୁ ଲୋକାଦୃତ ଫେସବୁକ ଆପକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅ।।ପର ଗତିବିଧିକୁ ନେଇ ଅଭିଯୋଗ ଆଣିଛନ୍ତି ଖୋଦ କେନ୍ଦ୍ର ସରକାର । କମ୍ପାନୀ ବ୍ୟବହାର କରୁଥିବା ଏଲଗୋରିଦମ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ମଗେଇଛନ୍ତି କେନ୍ଦ୍ର ସରକାର । ଏହି କମ୍ପାନୀର ସବୁଠୁ ବଡ ବଜାର ଭାରତରେ ୟୁଜରମାନଙ୍କୁ ଭୂଲ ସୂଚନା ଦେବା ସହିତ ଉସକାଇବା ଭଳି ଭାଷଣ ଏବଂ ହିଂସା ସୃଷ୍ଟି କରିବା ଭଳି ବାର୍ତ୍ତା ଅଧିକ ମାତ୍ରାରେ ପ୍ରସାରିତ ହେଉଥିବା ଫେସବୁକର ଅନ୍ତରୀଣ ଦସ୍ତାବିଜରୁ ଜଣାଯାଇଛି ।
ଆମେରିକାର ଏକ ଗଣମାଧ୍ୟମ ଅନୁସାରେ ଭାରତରେ କିଛି ଗୋଷ୍ଠୀ ଏବଂ ଫେସବୁକ ପେଜ ରହିଛି ଯାହା ବିଭ୍ରାନ୍ତିକର ଏବଂ ଉତ୍ତେଜକ ତଥ୍ୟ ସହିତ ବିଷୟବସ୍ତୁ ପ୍ରସାର କରିବାରେ ମୁଖ୍ୟ ଭୂମିକା ତୁଲାଉଛି । ଏ ନେଇ ସୋଶିଆଲ ମିଡିଆ ଅନୁସନ୍ଧାନକାରୀମାନେ ମଧ୍ୟ ସୂଚେଇ ଦେଇ ସାରିଛନ୍ତି । ତେଣୁ ଭାରତ ସରକାର କମ୍ପାନୀ ଦ୍ୱାରା ବ୍ୟବହୃତ ଆଲଗୋରିଦମ ଏବଂ ପ୍ରକ୍ରିୟା ବିଷୟରେ ସୂଚନା ମାଗିଛନ୍ତି ସରକାର । ଏହା ସହିତ ସରକାର ଫେସବୁକ ବ୍ୟବହାରକାରୀଙ୍କ ସୁରକ୍ଷା ସମ୍ୱନ୍ଧୀୟ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ କମ୍ପାନୀକୁ ତଥ୍ୟ ଦେବାକୁ କହିଛନ୍ତି । ଏନେଇ ଫେସବୁକ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ନୂଆକରି ଲାଗୁ ହୋଇଥିବା ଆଇଟି ନିୟମରେ ଫେସବୁକ ଏବଂ ଟ୍ୱିଟର ଭଳି ବଡ଼ ବଡ଼ ସୋସିଆଲ୍ ମିଡିଆ ସେବା ପ୍ରଦାନକାରୀ କମ୍ପାନୀ ସେମାନଙ୍କର କାର୍ୟ୍ୟ ପାଇଁ ଉତ୍ତରଦାୟୀ ରହିବେ ।