ଟି-୨୦ର ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ

ନୂଆଦିଲ୍ଲୀ : କ୍ୟାପ୍ଟେନ୍ ପଦ ଛାଡିବେ କୋହଲି । ଭାରତୀୟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ କୋହଲି । ଭାରତୀୟ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ସବୁଠାରୁ ବଡ ଖବର । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ଏ ନେଇ ନିଜେ କୋହଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି।
କେବଳ ଟ୍ବେଣ୍ଟି ଟ୍ବେଣ୍ଟି ପଦ ଛାଡିବେ କୋହଲି । ପୂର୍ବପରି ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦ ଜାରି ରଖିବେ । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କୋହଲି ।

ଟ୍ବିଟ୍ କରି କୋହଲି କହିଛନ୍ତି, ‘ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି । ଏହା ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଉଛି । ଅଧିନାୟକ ପଦରେ ଥିବା ବେଳେ ଟିମ ପାଇଁ ଅନେକ କିଛି କରିବାକୁ ଚେଷ୍ଟା କରିଛି । ଅତିରିକ୍ତ ଚାପକୁ ଦୃଷ୍ଟିରେ ରଖି ୨୦୨୧ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଟି-୨୦ ଫର୍ମାଟ୍ରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ବ୍ୟାଟ୍ସମ୍ୟାନ୍ ଭାବେ ଦଳକୁ ସହଯୋଗ ଜାରି ରଖିବି ।’
ଉଲ୍ଲେଖଯୋଗ୍ୟ, ବିରାଟ କୋହଲି ଏପର୍ୟ୍ୟନ୍ତ ୪୫ଟି ଟି -୨୦ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି। ଏହି ସମୟ ମଧ୍ୟରେ ଦଳ ୨୫ଟି ମ୍ୟାଚ୍ ଜିତିଛି ଏବଂ ୧୪ଟି ହାରିଛି। ସେଠାରେ ନିଜେ। ବିରାଟଙ୍କ ଅଧିନାୟକତ୍ୱରେ ବିଜୟ ପ୍ରତିଶତ ୬୫.୧୧ ରହିଛି।