ନବୀନଙ୍କ ଷ୍ଟ୍ରିକ୍ଟ ଆକ୍ସନରେ ବିରୋଧୀ ଚୁପ
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ତାଙ୍କୁ ମହଙ୍ଗା ପଡିଛି । ବିଜେପିର ବାଲୁଙ୍ଗା ନଗର ମଣ୍ଡଳ ସଭାପତିଙ୍କୁ ମାଡ ମାରିବା ପାଇଁ ଜଗଦେବଙ୍କ ବିରୋଧରେ କଠୋର ହୋଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣା ଜଣାପଡିବା କ୍ଷଣି ହିଁ ନବୀନ ନେଇଛନ୍ତି ଷ୍ଟ୍ରିକ୍ଟ ଆକ୍ସନ । କାଳ ବିଳମ୍ବ ନ କରି ଜଗଦେବଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଏହାକୁ ଦେଖିବା ପରେ ଅନୁଭୂତ ହେଉଛି, ନବୀନ ଯେମିତି ପୁଣି ପୁରୁଣା ଫର୍ମକୁ ଫେରିଛନ୍ତି । ପୁଣି ଆକ୍ସନ ମୋଡରେ ନବୀନଙ୍କୁ ଦେଖିବାକୁ ମିଳିଛି । ଦଳରେ ଜନ ବିରୋଧୀ, ଦଳ ବିରୋଧୀ, ଦୁର୍ନୀତିଗ୍ରସ୍ତ ତଥା ହିଂସା ସୃଷ୍ଟିକାରୀ ନେତାଙ୍କ ପାଇଁ ସ୍ଥାନ ନାହିଁ, ତାହାର ପ୍ରମାଣ ଦେଇଛନ୍ତି ନବୀନ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ସୃଷ୍ଟ ଦଳ ସଦା ସର୍ବଦା ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଅନୁକରଣ କରି ଆସିଛି । ଦଳ ତଥା ଦଳ ସୁପ୍ରିମୋଙ୍କ ନିକଟରେ ଦୁର୍ନୀତି, ଭ୍ରଷ୍ଟାଚାର, ହିଂସା, ଜନବିରୋଧୀ କାର୍ଯ୍ୟକଳାପ ପାଇଁ କୌଣସି ସ୍ଥାନ ନାହିଁ । ତେଣୁ ତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ଅପରାହ୍ନରେ ବାଲୁଙ୍ଗାରେ ମାରପିଟ କରିବା ଖବର ସଂଧ୍ୟା ସୁଦ୍ଧା ଆସିବା ପରେ ତ୍ୱରିତ୍ ଆକ୍ସନ ନେଲେ ଦଳ ସୁପ୍ରିମୋ । ଖାଲି ଏଇ ଜଗଦେବଙ୍କ ମାମଲା ନୁହେଁ, ଯେତେବେଳେ ଯିଏ ବି ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିବାକୁ ଚେଷ୍ଟା କରିଛନ୍ତି ତାଙ୍କ ମୁଣ୍ଡ ଗଡାଇବାକୁ ପଛେଇ ନାହାନ୍ତି ସୁପ୍ରିମୋ । ସରକାର କିମ୍ବା ଦଳରେ ସାମାନ୍ୟତମ ଦୁର୍ନୀତିର ବାସ୍ନା ଆସିଲେ ନବୀନ ନେଇ ଆସିଛନ୍ତି କଠୋର ପଦକ୍ଷେପ । ଏହି କ୍ରମରେ ଅମର ଶତପଥୀ, ପ୍ରମିଳା ମଲ୍ଲୀକ, ବିଜୟଶ୍ରୀ ରାଉତରାୟଙ୍କ ମନ୍ତ୍ରୀପଦ ଯାଇଥିଲା । ଖାଲି ଯେ ଦୁର୍ନୀତି, ତାହା ନୁହେଁ, ଦଳ ବିରୋଧୀ, ସମାଜ ବିରୋଧୀ କାର୍ଯ୍ୟକୁ ମଧ୍ୟ ସହ୍ୟ କରି ପାରନ୍ତି ନାହିଁ ନବୀନ । ତେଣୁ ରଘୁ ମହାନ୍ତି, ପ୍ୟାରୀ ମହାପାତ୍ର, ଅତନୁ ସବ୍ୟସାଚୀ, ପ୍ରଫୁଲ୍ଲ ଘଡେଇ, ଦାମ ରାଉତ, ବୈଜୟନ୍ତ ପଣ୍ଡା, ପ୍ରଦୀପ ପାଣିଗ୍ରାହୀଙ୍କ ପରି ଦଳର ପାୱାରଫୁଲ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାଳ ବିଳମ୍ବ କରି ନାହାନ୍ତି ନବୀନ ।
ଏହାକୁ ନେଇ ବିରୋଧୀ ତଥା ଦଳରୁ ବିତାଡିତ ହୋଇଥିବା ନେତା ମାନେ ଦଳ ତଥା ଦଳ ସୁପ୍ରିମୋଙ୍କ ବିରୋଧରେ ବହୁ ଲାଞ୍ଛନା ଦେଇଥିଲେ ମଧ୍ୟ ନିଜ ନୀତି ଆଦର୍ଶରୁ ଓହରି ନାହାନ୍ତି ନବୀନ । ସର୍ବଦା ସେ ବିଶୃଙ୍ଖଳିତ, ଅମାନିଆଙ୍କ ବିରୋଧରେ ଶକ୍ତ ଓ କଠୋରତା ଅବଲମ୍ବନ କରି ଆସିଛନ୍ତି । ରାଜ୍ୟ ତଥା ଦଳ ପାଇଁ ଯାହା ମଙ୍ଗଳମୟ ତାହା ହିଁ ତାଙ୍କ ପାଇଁ ଗ୍ରହଣୀୟ । ତେଣୁ ବ୍ୟକ୍ତିଗତ କ୍ଷେତ୍ରରେ ସେ ସମସ୍ତ ଲାଞ୍ଛନା ମୁଣ୍ଡେଇ ନେଉଥିବା ବେଳେ କିନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଆଞ୍ଚ ଆଣୁଥିବା ବ୍ୟକ୍ତିବିଶେଷଙ୍କୁ ସେ ସହ୍ୟ କରି ପାରନ୍ତି ନାହିଁ । ତେବେ ଏହି ନିୟମ କେବଳ ନିଜ ଦଳୀୟ ନେତୃବୃନ୍ଦଙ୍କ କ୍ଷେତ୍ରରେ ଯେ ଉପଯୋଗୀ, ତାହା ନୁହେଁ, ଏହା ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ତେଣୁ ତ ଯେତେବେଳେ ଯେଉଁ କର୍ମଚାରୀ, ଅଧିକାରୀଙ୍କ ନାମରେ କୌଣସି ଦୁର୍ନୀତିର ଅଭିଯୋଗ ଆସିଛି ତାଙ୍କ ବିରୋଧରେ କଠୋର ହୋଇଛି ନବୀନ ସରକାର ଓ ନେଇଛି କଠୋର ପଦକ୍ଷେପ । ଏଥିରେ ବହୁ ଆଇଏଏସ, ଆଇପିଏସ, ଆଇଏଫଏସ ଅଧିକାରୀଙ୍କଠାରୁ ଆରମ୍ଭ କରି ବହୁ ଓଏଏସ, ସେକ୍ସନ ଅଫିସ, ଇଞ୍ଜିନିୟର ତଥା ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ରହିଛନ୍ତି ।
ତେବେ ଜଗଦେବଙ୍କ ନିଲମ୍ବନ ନବୀନଙ୍କ ପୁରୁଣା ଚେହେରାକୁ ଉଦ୍ଜୀବତ କରିଛି । ସୁପ୍ରିମୋ ନବୀନ ନିବାସରେ ବସିଛନ୍ତି ବାହାରକ ୁବାହାରୁ ନାହାନ୍ତି କି ବାହାର ଦୁନିଆ ବିଷୟରେ କିଛି ଜାଣୁନାହାନ୍ତି ବୋଲି ବିରୋଧୀ ଗର୍ଜୁଥିବା ବେଳେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ନବୀନ । ବିରୋଧୀ ତଥା ସମାଲୋଚକଙ୍କ ମୁହଁରେ ତୁଣ୍ଡି ପକେଇବାକୁ ବାଧ୍ୟ କରିଛି ନବୀନଙ୍କ କୁଇକ୍ ଆଣ୍ଡ ଷ୍ଟ୍ରିକ୍ଟ ଆକ୍ସନ ।