ଦେବକୁଣ୍ଡ ଖୋଲିବାକୁ ଦାବିପତ୍ର
ଦୀପକ ମିଶ୍ର (ଉଦଳା) : ୫୧ ତମ ଶକ୍ତିପୀଠ ଭାବେ ପରିଗଣିତ ଦେବକୁଣ୍ଡ ଖୋଲିବାକୁ ଏକଜୁଟ ହୋଇଛନ୍ତି ଉଦଳା ବାସିନ୍ଦା । ଦଳମତ ନିର୍ବିଶେଷରେ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଦେବକୁଣ୍ଡ ଖୋଲିବାକୁ ଉଦଳାବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
କରୋନାକୁ ନଜରରେ ରଖି ରାଜ୍ୟ ସରକାର ମନ୍ଦିର ଏବଂ ପର୍ୟ୍ୟଟନସ୍ଥଳୀକୁ ନେଇ କଟକଣା ଜାରି ରଖିଥିବା ବେଳେ ଉଦଳା ବ୍ଲକ ଦେବକୁଣ୍ଡରେ କିନ୍ତୁ ଆଜି ମଧ୍ୟ ମନ୍ଦିର ବନ୍ଦ ରହିଛି । ଦୁଇ ମାସ ତଳେ ଡୁକୁରା ବନବିଭାଗ ଦେବକୁଣ୍ଡ ପ୍ରବେଶ ଉପରେ ରୋକ ଲଗାଇଥିବାରୁ ଏଠକାର ମା ଅମ୍ବିକାଙ୍କ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଛି । କେବଳ ସେତିକି ନୁହେଁ ଦେବକୁଣ୍ଡରେ ବୁଲିବା ଏବଂ ମା ଅମ୍ବିକାଙ୍କୁ ଦର୍ଶନ କରିବା ପର୍ୟ୍ୟଟକମାନଙ୍କ ନିମନ୍ତେ ମଧ୍ୟ ବନ୍ଦ କରିଛି ବନବିଭାଗ । ଯାହାକୁ ବିରୋଧ କରି ଆଜି ଉଦଳାର ବାସିନ୍ଦାମାନେ ତୁରନ୍ତ ଦେବକୁଣ୍ଡ ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ସାତ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।