କଂଗ୍ରେସ ଅଡୁଆ ତଥାପି ତୁଟୁନି

ରାଜେଶ ସାହୁ: ରାଜ୍ୟ କଂଗ୍ରେସରେ ଲାଗିରହିଛି କନ୍ଦଳ । ଏକଥା ରାଜ୍ୟବାସୀଙ୍କୁ ଆଉ ଅଛପା ନାହିଁ । କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସିଲେ ସମସ୍ତେ ଗୋଟିଏ ମଞ୍ଚରେ ଏକାକାର ହୋଇଯାଆନ୍ତି । କିନ୍ତୁ ନେତୃତ୍ୱଙ୍କ ପ୍ରସ୍ତାନ ପରେ ଯଥାପୂର୍ବଂ ତଥା ପରଂ ସ୍ଥିତି । କିଏ ହାଇକମାଣ୍ଡଙ୍କୁ ହାତେଇ କର୍ମୀଙ୍କୁ ନିଜ ଆଡକୁ ଟାଣୁଛି ତ ପୁଣି କିଏ ରାଜ୍ୟ ପ୍ରଭାରୀଙ୍କ ନିକଟତର ହୋଇ ନିଜ ପତିଆର ଜାହିର କରୁଛନ୍ତି । ଖାଲି ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା । ତେବେ ବର୍ତ୍ତମାନ ପଞ୍ଜାବ କଂଗ୍ରେସର ଫାଟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି ।

ଆଗକୁ ରହିଛି ପଞ୍ଜାବ ବିଧାନସଭା ନିର୍ବାଚନ । ହେଲେ କଂଗ୍ରେସର ଭିତରି କନ୍ଦଳ ଥମିବାର ନାମ ନେଉ ନାହିଁ । ପାର୍ଟିରେ ଲଗାତାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ପ୍ରଦେଶ କଂଗ୍ରେସର ନୂଆ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏବେ ବିବାଦ ଏତେ ମାତ୍ରାରେ ବଢି ଯାଇଛି ଯେ ସିଦ୍ଧୁ ହାଇକମାଣ୍ଡଙ୍କୁ ଭେଟିବା ଲାଗି ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି। କିନ୍ତୁ ସିଦ୍ଧୁଙ୍କ ବାରମ୍ବାର ଗସ୍ତ ସତ୍ତେ୍ୱ ଖାଲିହାତରେ ଦିଲ୍ଲୀରୁ ଫେରିଥିବା ଜଣାପଡିଛି ।

ତେବେ ପ୍ରଦେଶ କଂଗ୍ରେସର ପ୍ରଭାରୀ ଓ କେନ୍ଦ୍ରୀୟ ହାଇକମାଣ୍ଡ ଦଳ ଆଗାମୀ ବିଧାନସଭା ନିର୍ବାଚନ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ଲଢିବ ବୋଲି ପ୍ରଥମରୁ ହିଁ ସ୍ପଷ୍ଟ କରି ରଖିଛନ୍ତି । ଏଥିରେ ସିଦ୍ଧୁ ନୂଆ ନୂଆ ସମସ୍ୟା ସୃଷ୍ଟି କରୁଥିବା ବେଳେ ବିଧାୟକଙ୍କ ଏକ ଗୋଷ୍ଠୀ ଏଥିରେ ତାଙ୍କୁ ସହଯୋଗ କରୁଥିବା ଜଣାପଡିଛି। ବିଧାୟକମାନେ ଦଳରେ ଏକପ୍ରକାର ବିଦ୍ରୋହ କରିଦେଇଛନ୍ତି। ପ୍ରସଙ୍ଗରେ ସିଦ୍ଧୁ ବାରମ୍ବାର ଦିଲ୍ଲୀ ଦଉଡୁଥିଲେ ହେଁ ଏଥିରୁ ସେପରି କୌଣସି ପରିଣାମ ମିଳିବା ଭଳି ଏବେ ସୁଦ୍ଧା ପ୍ରତୀତ ହେଉ ନାହିଁ।

ଏପଟେ ଓଡିଶା କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା । ନିରଞ୍ଜନଙ୍କୁ ନେଇ ରାଜ୍ୟ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି ଗୋଷ୍ଠି କନ୍ଦଳ । ପୂର୍ବରୁ କଂଗ୍ରେସ ନେତା ତଥା କଟକ ବିଧାୟକ ମହମଦ ମୁକିମଙ୍କ ଗୋଷ୍ଠି ବନାମ ନିରଞ୍ଜନ ପଟ୍ଟନାୟଙ୍କ ଗୋଷ୍ଠିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଶୀତଳ ଯୁଦ୍ଧ। ଯାହା ରାଜ୍ୟ ରାଜନୀତିରେ ବେସ ସରଗରମ ଥିବା ଦେଖିବାକୁ ମିଳିଥିଲା । ସେହିପରି ତାରା ବନାମ ନିରଞ୍ଜନ ଫାଇଟ ରାଜ୍ୟ କଂଗ୍ରେସରେ ସରଗରମ ହୋଇଥିଲା।

କଂଗ୍ରେସର ଏହି ଭିତ୍ତିରି ରାଜନୀତି କଂଗ୍ରେସକୁ ତଳକୁ ତଳକୁ ନେବ ନାହିଁ ତ? ନେତାଙ୍କ ଏପରି ଉଚାରଣରେ କଂଗ୍ରେସ ଦେଶରୁ ମୂଳପୋଛ ହେବ ନାହିଁ ତ? ଏମିତି ଅନେକ ପ୍ରଶ୍ନ ଉଠୁଛି କଂଗ୍ରେସକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ।