କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବେ ପ୍ରଦୀପ

ଭୁବନେଶ୍ୱର: କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ଓଡିଶା ଆସି ଛନ୍ତି । ହେଲେ କେହି ବି ଚେଲାଙ୍କ ଆଗରେ ନିରଞ୍ଜନଙ୍କ ବିରୋଧରେ କିଛି ବିଷୋଦଗାର କଲେ ନାହିଁ । ବିଷ ଉଗାରୁଥିବା ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସ୍ୱରରେ ଆସିଥିଲା ପରିବର୍ତ୍ତନ । କିନ୍ତୁ ନିରଞ୍ଜନଙ୍କ ବିରୋଧରେ ତାରା ବିଷୋଦଗାର କରୁଥିବା ବେଳେ ତାଙ୍କୁ ସମର୍ଥନ କରିଥିବା ପ୍ରଦୀପ ମାଝୀ ଚୁପ । ଏବେ ତାରାଙ୍କ ସହ ସେ ସ୍ୱର ମିଳାଇନାହାନ୍ତି କି ନିରଞ୍ଜନଙ୍କ ନେତୃତ୍ୱ ନିକଟରେ ମୁଣ୍ଡ ନିଆଁଇ ନାହାନ୍ତି । କାରଣ ସେ କଂଗ୍ରେସ ଛାଡିବାକୁ ଫୁଲ ରେଡି ।

ପ୍ରଦୀପଙ୍କ ନିକଟତମ ସମର୍ଥକଙ୍କଠୁ ଶୁଣିବାକୁ ମିଳୁଛି ଗୋଟିଏ କଥା । ମାଝୀ କୁଆଡେ ଦଳ ଛାଡିବେ । ଦଳ ଛାଡିବାକୁ ସେ ଶାରୀରିକ, ମାନସିକସ୍ତରରେ ପୂର୍ଣ୍ଣରୂପେ ପ୍ରସ୍ତୁତ । ଆପଣମାନେ ଭାବୁଥିବେ ଏଥିରେ ନୂତନତା କଣ ଅଛି? ପୂର୍ବରୁ ଜାଣିଛୁ ପ୍ରଦୀପ ମାଝୀ ଦଳ ଛାଡିବାକୁ ଯାଉଛନ୍ତି । ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ବହୁ ପୂର୍ବରୁ ସ୍ଥିର ନିଶ୍ଚିତ ହୋଇସାରିଛି । ତେବେ ଆମେ କହିବୁ, ପୂର୍ବରୁ ଯାହା ଶୁଣାଯାଉଥିôଲା ବା ଆକଳନ କରାଯାଉଥିଲା ତାହା ଭୁଲ । ବିଜେପିକୁ ଯିବେ ନାହିଁ ପ୍ରଦୀପ । ସେ ବିଜେଡିରେ ସାମିଲ ହେବେ । ଏନେଇ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା ହୋଇଛି । ବିଜେଡିର କିଛି ବରିଷ୍ଠ ନେତା ପ୍ରଦୀପଙ୍କୁ ଦଳରେ ସାମିଲ କରିବାକୁ ସୁପ୍ରିମୋଙ୍କୁ ରାଜି କରିଥିବା କୁହାଯାଉଛି ।

କଂଗ୍ରେସରେ ରହିଥିଲେ ମଧ୍ୟ ପ୍ରଦୀପ ବାରମ୍ବାର କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ତଥା ରାଜ୍ୟ ନେତୃତ୍ୱକୁ ସମାଲୋଚନା କରି ଆସୁଛନ୍ତି । ଏକଦା ଗାନ୍ଧୀ ପରିବାରର ନିକଟତର ଥିବା ପ୍ରଦୀପ ଗାନ୍ଧୀ ପରିବାରର ନେତୃତ୍ୱ ପ୍ରତି ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି । ଏନେଇ ଯେତେବେଳେ ସେ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଲା ତାହାକୁ ବିଶ୍ୱାସ ମଧ୍ୟ କରାଗଲା । କିନ୍ତୁ ସେହି ଚର୍ଚ୍ଚା ଶୀତଳ ଭଣ୍ଡାରକୁ ଚାଲିଯାଇଛି । ବିଜେପି ପ୍ରଦୀପଙ୍କୁ ପାଛୋଟି ନେବାକୁ ଦ୍ୱାର ଖୋଲା ରଖିଥିବା ବେଳେ ପ୍ରଦୀପ ଶଙ୍ଖଦଳ ମୁହାଁ ହୋଇଛନ୍ତି ।

କଂଗ୍ରେସର ପ୍ରାୟତଃ ବହୁ ବରିଷ୍ଠ ନେତା ତଥା କୋରାପୁଟ ସାଂସଦ କହୁଛନ୍ତି ପ୍ରଦୀପ ବିଜେଡିରେ ଖୁବ ଶୀଘ୍ର ସାମିଲ ହେବା କଥା ଶୁଣିଛନ୍ତି, ହେଲେ କଥାରେ କେତେ ସତ୍ୟତା ରହିଛି ତାହା ଜଣାନାହିଁ । ଅନ୍ୟପଟେ କିଛି ବିଜେଡି ନେତାଙ୍କ ସଂସ୍ପର୍ଶରେ ପ୍ରଦୀପ ଥିବା ଶୁଣିବାକୁ ମିଳୁଛି । ପ୍ରଦୀପଙ୍କ ନିକଟ ସମର୍ଥକଙ୍କ ଅନୁଯାୟୀ, ପ୍ରଦୀପଙ୍କ ପାଖରେ ବିଜେପି ଓ ବିଜେଡି ଉଭୟରୁ ରହିଛି ଆମନ୍ତ୍ରଣ । ହେଲେ ବିଜେଡିରେ ସାମିଲ ପାଇଁ ସେ ଇଛାୟୀ । କାରଣ, ବିଜେପିରେ ସାମିଲ ହେଲେ ସେମିତି କିଛି ଲାଭ ମିଳିବ ନାହିଁ ପ୍ରଦୀପଙ୍କୁ ।

ତାଙ୍କ ସମର୍ଥକଙ୍କ ଅନୁଯାୟୀ, ରାଜ୍ୟରେ ତଥା ଦେଶରେ ବିଜେପି ଲୋକଙ୍କ ଭରସା ହରାଇ ବସିଲାଣି । ତେଣୁ ବିଜେଡି ହେଉଛି ପ୍ରକୃଷ୍ଟ ପ୍ଲାଟଫର୍ମ, ଯେଉଁଠି ସାମିଲ ହେଲେ ପ୍ରଦୀପଙ୍କୁ ମାଇଲେଜ ମିଳିବ । ଏହା ବ୍ୟତୀତ, ପ୍ରଦୀପଙ୍କ ପିତା ଭଗବାନ ମାଝୀ ତାଙ୍କ ରାଜନୈତିକ ଜୀବନ ବିଜୁ ବାବୁଙ୍କ ସହ ଜନତାଦଳରୁ ଆରମ୍ଭ କରିଥିଲେ । ଜନତା ଦଳରୁ ମଧ୍ୟ ଭଗବାନ ମାଝୀ ରାଜ୍ୟସଭାକୁ ଯାଇଥିଲେ । କିନ୍ତୁ ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ପ୍ରଦୀପ ମଧ୍ୟ କଂଗ୍ରେସରେ ସାମିଲ ହୋଇଥିଲେ ଓ ନବରଙ୍ଗପୁରରୁ ସାଂସଦ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । କିନ୍ତୁ ଏହା ପରେ ସେ ବିଜୟ ହାସଲ କରି ନାହାନ୍ତି । କଂଗ୍ରେସ ରାଜ୍ୟରେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିନଥିବାରୁ ପ୍ରଦୀପଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ଦୁଇ ଦୁଇ ଥର ପରାଜୟ ବରଣ କରିବାକୁ ପଡିଛି । ଅନ୍ୟପଟେ କଂଗ୍ରେସ ନେତାଙ୍କ ନେତୃତ୍ୱ କ୍ଷୁଧା ତାଙ୍କୁ ଅତିଷ୍ଠ କରିଦେଇଛି । ତେଣୁ ସେ ନବୀନଙ୍କ ଛତ୍ରଛାୟା ତଳେ ବୁଡିଯାଉଥିବା ତାଙ୍କ ରାଜନୈତିକ ନାଆକୁ କୂଳରେ ଲଗାଇବାକୁ ମନସ୍ତ କରିଛନ୍ତି । ତେବେ ଏହି ଶୁଣା କଥାରେ କେତେ ସତ୍ୟତା ରହିଛି ତାହା ଆଗାମୀ ଦିନରେ ଜଣାପଡିବ ।