ମନ୍ତ୍ରୀଙ୍କୁ ଜେରା କରିବାକୁ ଗୃହ ବିଭାଗ ଖୋଲିବ ପୁଲିସ ହାତରୁ ବେଡି!

ଭୁବନେଶ୍ୱର: ସାଲେପୁର ଜେଏମଏଫସି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଚାର୍ଜ ସିଟରେ ସାମିଲ କରି ଜେରା କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତରେ କଣ ପୁଲିସ ପ୍ରତାପଙ୍କୁ ଜେରା କରି ପାରିବ? କଣ ପୁଲିସ ମନ୍ତ୍ରୀଙ୍କ କ୍ଷେତ୍ରରେ ସତ୍ୟନିଷ୍ଠତା ପ୍ରତିପାଦନ କରିବ? ଏହାକୁ ନେଇ ଏବେ ଠିଆ ହୋଇଛି ପ୍ରଶ୍ନ । କାରଣ ପୂର୍ବରୁ ଡବଲ ମର୍ଡର ଘଟଣାରେ ଏଫଆଇଆରରେ ମନ୍ତ୍ରୀଙ୍କୁ ପ୍ରାଇମ ଆକ୍ୟୁଜ ଭାବେ ଦର୍ଶା ଯାଇଥିଲା । କିନ୍ତୁ ସାଲେପୁର ପୁଲିସ ଚାର୍ଜ ସିଟ ଦାଖଲ କରିବା ବେଳକୁ ନ ଥିଲା ମନ୍ତ୍ରୀଙ୍କ ନାମ । ୧୩ ଜଣ ବଦଳରେ ୧୨ ଜଣଙ୍କ ନାମ ପୁଲିସ ଚାର୍ଜ ସିଟରେ ଥିଲା ।

ଆପଣମାନଙ୍କର ମନେ ଥିବା ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ଦୁଇ ବିଜେପି ନେତା କୁଳମଣି ପରିଡା ଓ ତାଙ୍କ ସହଯୋଗୀ ତଥା ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କ ହତ୍ୟା କରାଯାଇଥିଲା । ହତ୍ୟା ପରେ କୁଳମଣିଙ୍କ ପୁଅଙ୍କ ପକ୍ଷରୁ ମୋଟ ୧୩ ଜଣଙ୍କ ନାମରେ ଏଫଆଇଆର ହୋଇଥିଲା । ଏହି ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ହତ୍ୟାର କାର୍ପଟଦାର ଭାବେ ଉଲ୍ଲେଖ ହୋଇଥିଲା । ଏବେ ପ୍ରତାପଙ୍କୁ ଜେରା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପୁଲିସ ଜେରା କରିବ କି ବୋଲି ପ୍ରଶ୍ନ ହେଉଛି ।

କାରଣ, କେବଳ କୁଳଣମି ବା ଦିବ୍ୟସିଂହଙ୍କ ହତ୍ୟା ନୁହଁ, ଏହି ହତ୍ୟା କାଣ୍ଡର ମୁଖ୍ୟ ହତ୍ୟାକାରୀ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଡବଲ ମର୍ଡର ପରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ପ୍ରଫୁଲ୍ଲଙ୍କୁ ପୁଲିସ ଖୋଜି ଖୋଜି ନାକେଦମ ହୋଇଯାଇଥିଲା । କିନ୍ତୁ ଯେଉଁଦିନ ତାଙ୍କ ମୋବାଇଲ ଫୋନ ଟାଙ୍ଗି ଅଞ୍ଚଳରେ ଟ୍ରେସ ହେଲା ପୁଲିସ ପହଞ୍ଚିବା ଆଗରୁ ତାଙ୍କ ମୃତଦେହ ମିଳିଥିଲା । ମୃତଦେହ ଟାଙ୍ଗି ଅଞ୍ଚଳରେ ରାସ୍ତା କଡରେ ପଡିଥିଲା । କୌଣସି ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଥିଲା । ହେଲେ ତାଙ୍କ ଶରୀରକୁ ଛାଡିଦେଲେ ତାଙ୍କ ମୋବାଇଲ, ଗାଡି ସବୁ କିଛି ଅକ୍ଷତ ଥିଲା । ଏଥିସହ ହତ୍ୟା ପୂର୍ବରୁ ସେ କୁଳମଣିଙ୍କ ପୁଅଙ୍କୁ ଫୋନ କରି ପ୍ରଫୁଲ୍ଲା ହତ୍ୟା ପଛରେ ମନ୍ତ୍ରୀ ଜେନାଙ୍କ ହତା ଥିବା କହିଥିଲେ । ଏପରି କି, ନିଜ ପରିବାରକୁ ଫୋନ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଜଣାଇଥିଲେ । ଯେଉଁଦିନ ଫୋନ କରିଥିଲେ ସେହି ଦିନ ହିଁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ମନ୍ତ୍ରୀଙ୍କ ବିରୋଧରେ ଥିଲା ଏକାଧିକ ଅଭିଯୋଗ । ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଥିଲା ପ୍ରମାଣ । କିନ୍ତୁ ପୁଲିସର ମନ୍ତ୍ରୀଙ୍କଠି ହାତ ମାରିବାକୁ ନ ଥିଲା ଜୁ । ତେଣୁ ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ଫର୍ମୁଲାରେ ଚାର୍ଜସିଟରେ ମନ୍ତ୍ରୀଙ୍କ ଚିହ୍ନବର୍ଣ୍ଣ ରଖିଲା ନାହିଁ । ଏକେତ ଶାସକ ଦଳର ଜଣେ ମନ୍ତ୍ରୀ, ତା ଉପରେ ଆଇନ ମନ୍ତ୍ରୀ । ତେଣୁ ମନ୍ତ୍ରୀଙ୍କ ଧୋବଫରଫର କୁର୍ତ୍ତାରେ ହାତ ଦେବାକୁ ଡରିଥିଲା ପୁଲିସ । ଏବେ ପୁଲିସ ଜେରା କରିବ ବୋଲି କେମିତି ଆଶା ରଖିବ ଜନତା । ଯେଉଁଠି ଏସିଏଫ ସୌମ୍ୟ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାଧାରଣ ମହିଳା ବିଦ୍ୟାଭାରତୀଙ୍କୁ ପୁଲିସ ଅଟକ ରଖିବାକୁ ବା ଜେରା କରିବାକୁ ପଛଘୁଞ୍ଚା ଦେଉଛି, ସେଠି ଖୋଦ ଆଇନ ମନ୍ତ୍ରୀଙ୍କୁ ଜେରା କରିବାକୁ ପୁଲିସର କଲିଜା ଅଛିତ ?

ଖାଲି ପୁଲିସକୁ ଦୋଷ ଦେଲେ କଣ ହେବ? ପୁଲିସକୁ ଅପାରଗ କରିଛି କିଏ? ଯଦି ପୁଲିସ ଅପାରଗ ତେବେ କାହିଁ ଏମିତି ଅପାରଗଙ୍କୁ ପୋଷୁଛି ସରକାର? କାହିଁ ଏମାନଙ୍କ ଅପାରଗତା ପାଇଁ ସରକାର ମୁଣ୍ଡାଉଛି ଅପବାଦ? ହେଉଛି ସମାଲୋଚିତ? ବାସ୍ତବ କଥା ହେଲା ପୁଲିସକୁ ଅପାରଗ କରିଛି ସରକାର । ନୋହିଲେ ଜଣେ ମନ୍ତ୍ରୀଙ୍କ ନାମରେ ତିନି ଜଣଙ୍କ ହତ୍ୟାର ଅଭିଯୋଗ, ନାନା ସରକାରୀ ଯୋଜନା ହରିଲୁଟ ସତ୍ତେ୍ୱ କାହିଁ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖାଯାଇଛି? ଜନ ବିରୋଧୀ କାର୍ଯ୍ୟ କରି ଯଦି ଗୋପାଳପୁର ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇ ପାରିଲା, ଜଣେ ମନ୍ତ୍ରୀଙ୍କ ନାମରେ ଏକାଧିକ ମାମଲା ସତ୍ତେ୍ୱ କିପରି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇ ନାହିଁ ବୋଲି ପଶ୍ନ ହେଉଛି । ଏବେ ଦେଖିବାକୁ ରହିଲା, ଗୃହ ବିଭାଗ ମନ୍ତ୍ରୀଙ୍କୁ ଜେରା କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବ କି? ତଦନ୍ତ ପ୍ରକ୍ରିୟାରେ ପୁଲିସକୁ ମିଳିବକି ସ୍ୱାଧୀନତା ?