ପୁଲିସ ଆଗରେ ହାଇପ୍ରୋଫାଇଲ୍ଡ ଟ୍ରେନରଙ୍କ ଦାଦାଗିରି

ଭୁବନେଶ୍ୱର/ ବ୍ୟୁରୋ: ଗାଡି ପାର୍କିଂକୁ ନେଇ ପାଟିତୁଣ୍ଡ । ଘଟଣା ଗଲା ଥାନାକୁ । ଥାନାରେ ପୁଲିସ ଉପସ୍ଥିତିରେ ଅଭିଯୋଗକାରୀଙ୍କ ଦାଦାଗିରି । ଆଇଆଇସିଙ୍କ ଆଗରେ ଦେଖାଇଲେ ପାୱାର । ଗଣାଇଚାଲିଲେ କେତେ ଲମ୍ବା ତାଙ୍କ ହାତ । ଘଟଣାଟି ଘଟିଛି ଗତକାଲି ରାତିରେ ନୟାପଲ୍ଲୀ ଥାନାରେ । ନୟାପଲ୍ଲୀ ଥ।।ନାରେ ଅଭିନେତା ବବି ମିଶ୍ରଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ ଜଣାଶୁଣା ବଡି ବିଲ୍ଡର ଓ ପର୍ସନାଲ ଟ୍ରେନର ତପି ମିଶ୍ର ।

ତପି ମିଶ୍ର ନୟାପଲ୍ଲୀ ଥାନାରେ ଗତକାଲି ରାତିରେ ଅଭିଯୋଗ କଲେ ଅଭିନେତା ବବି ମିଶ୍ରଙ୍କ ନାମରେ । ଉଭୟଙ୍କ ମଧ୍ୟରେ ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ତପି କିନ୍ତୁ ତାଙ୍କ ପତ୍ନୀଙ୍କୁ ବବି ବିବାହ କରିବାକୁ କହୁଥିବା ଓ ତାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କଲେ । ଖବର ପାଇ ଥାନାରେ ପହଞ୍ଚିଥିଲେ ବବି । ତପିଙ୍କ ଅଭିଯୋଗକୁ ବବି ଖଣ୍ଡନ କରିବା ସହ ସେ ତପିଙ୍କ ପତ୍ନୀଙ୍କୁ ଭଉଣୀ ମାନୁଥିବା ପୁଲିସ ଆଗରେ କହିଥିଲେ ।

ହେଲେ ତପି ପ୍ରସଙ୍ଗରୁ ବାହାରି ଉତ୍କ୍ଷିପ୍ତ ହୋଇ ଗଣାଇଚାଲିଥିଲେ କେଉଁ ପର୍ଯ୍ୟନ୍ତ ତାଙ୍କ ହାତ ଲମ୍ବିଛି । କେତେ ପାୱାରଫୁଲ ଲୋକଙ୍କ ସହ ରହିଛି ଘନିଷ୍ଠତା ।

ଶୁଣିଲେ ତ, ସିଏମଓରୁ ବି କଲ କରେଇ ବାର ଶକ୍ତି ରଖିଛନ୍ତି ତପି । ଦୂତିଙ୍କୁ କହି ଡିସିିପିଙ୍କୁ କଲ କରେଇ ପାରିବେ ସେ । ଅବଶ୍ୟ ଦୌଡ ରାଣୀ ଦୂତିଙ୍କର ତାଙ୍କ ସହ ଘନିଷ୍ଠତା ରହିଛି । ଆମକୁ ଯେତିକି ଜଣା, ସେ ଦୂତିଙ୍କ ଟ୍ରେନର କମ ପିଆରଓ ଅଧିକ । ଦୂତିଙ୍କ ସହ ତାଙ୍କୁ ଅନେକ କାର୍ଯ୍ୟକ୍ରମରେ,ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଆଉ ଆଇଏଏସଙ୍କ କଥା ଯାହା କହିଲେ, ଆମେ ଜାଣୁନା କେଉଁ କେଉଁ ଆଇଏଏସଙ୍କୁ ସେ ଟ୍ରେନିଂ ଦେଇଛନ୍ତି । କିନ୍ତୁ ପୁଲିସ ସମ୍ମୁଖରେ ଯେଉଁ ପରି ସେ ନିଜ ପାୱାର ଦେଖାଉଥିଲେ ତାହା ତାଙ୍କ ଔଦ୍ଧତ୍ୟ ଓ ମୁଖ୍ୟତାର ପରିଚୟ ବୋଲି କୁହାଯାଇପାରେ । ଥାନାରେ ସାର୍ଟ ଖୋଲି ବଡି ଦେଖାଇଥିଲେ, ସେଥିରୁ ଜଣାପଡୁଛି କେତେ ସାଂଘାତିକ ଏହି ହାଇଏଷ୍ଟ ପେଡ ଟ୍ରେନର, କିପରି ସ୍ଥାନୀୟ ଅଞ୍ଚଳରେ ଚଳାଇଥିଲେ ଦାଦାଗିରି ।