ବିରୋଧୀଙ୍କ ଉପରେ ବର୍ଷିଲେ ୭ ମନ୍ତ୍ରୀ : ରାଜ୍ୟସଭାରେ ହାଇଡ୍ରାମା

ନୂଆଦିଲ୍ଲୀ : ରାଜ୍ୟ ସଭାରେ ବୁଧବାର ସୁରକ୍ଷାକର୍ମୀ(ମାର୍ଶାଲ)ଙ୍କ ସହ ଧସ୍ତାଧସ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହାର ପାଲଟା ଜବାବ ଦିଆଯାଇଛି। ଅଭିଯୋଗର ଲମ୍ବା ଲିଷ୍ଟ ପରେ ଏବେ ଶାସକ ଦଳର ୭ ଜଣ କେନ୍ଦ୍ରମନ୍ତ୍ରୀ ପ୍ରେସମିଟ୍ କରି ବିରୋଧୀଙ୍କ ଉପର ପ୍ରବଳ ବର୍ଷିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେପରି ବିଶୃଙ୍ଖଳା ଦେଖାଦେଇଛି, ବିରୋଧୀ ଦଳ ପକ୍ଷରୁ ସେନେଇ ଦେଶବାସୀଙ୍କ କ୍ଷମା ମାଗିବା ଉଚିତ। ବିରୋଧୀ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମନ୍ତ୍ରୀମାନେ କଟାକ୍ଷ କରିଛନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, ପୀୟୁଷ ଗୋଏଲ, ଅନୁରାଗ ଠାକୁରଙ୍କ ସମେତ ମୋଟ୍ ୭ ମନ୍ତ୍ରୀ ଗୁରୁବାର ବିରୋଧୀଙ୍କ ସାଂସଦଙ୍କ ଉଚାରଣ ଏବଂ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ସାଂସଦ ସଂସଦର ମୌସୁମୀ ଅଧିବେଶନ ବେଳେ ଯାହା କରିଛନ୍ତି ତାହା ସଂସଦର ଗାରିମାକୁ କ୍ଷତି ପହଞ୍ଚାଇଛି। ଏଥିପାଇଁ ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, କଂଗ୍ରେସ ଦଳ ଏବଂ ତାହାର ସହଯୋଗୀ ଦଳଗୁଡିକ ଆରମ୍ଭରୁ ହିଁ ଗୃହ କାର୍ୟ୍ୟ ନଚଳାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ନୂଆ ମନ୍ତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଇଦେଇନଥିଲେ । ଗୁରୁତ୍ବପୂର୍ଣ୍ଣ ବିଲ୍ ଗୁଡିକ ଉପରେ ମଧ୍ୟ ଆଲୋଚନା କରିବାକୁ ଦେଇନଥିଲେ । ସଂସଦର ମର୍ୟ୍ୟାଦା କ୍ଷୁର୍ଣ୍ଣ କରିଥିବା ସାଂସଦଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ।