ବାଇଦାପୋଷୀ ସ୍ପୋର୍ଟସ କମିଟି ତରଫରୁ ବୃକ୍ଷ ରୋପଣ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): -ମୟୂରଭଂଜ ରାଇରଙ୍ଗପୁରର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ‘ବାଇଦାପୋଷୀ ଷ୍ପୋର୍ଟସ କମିଟି’ ତରଫରୁ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିଵାର ଦିନ ବାଇଦାପୋଷୀ ଖେଳ ପଡିଆ ନିକଟରେ ବିଭିନ୍ନ କିସମର ବୃକ୍ଷରୋପଣ କାର୍ୟ୍ୟକ୍ରମ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମଚରଣ ହାଁସଦା, ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ୟାମୀ ମହାକୁଡ, ବାଇଦାପୋଷୀ ଷ୍ପୋର୍ଟସ କମିଟି ସଭାପତି ତଥା ଓଷ୍ଟା ଶିକ୍ଷକ ନେତା ଦୁର୍ୟୋଧନ ବେହେରା,ସଂପାଦକ ଯୁବ ସମାଜସେବୀ ଜଗନ୍ନାଥ ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଶୁଭାରମ୍ଭ କରିଥିଲେ । ବୃକ୍ଷ ରୋପଣ,ବୃକ୍ଷ ସୁରକ୍ଷା, ଭଳି ପରିବେଶ ଅନୁକୂଳ ମହତ କାର୍ୟ୍ୟକ୍ରମରେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ସହଭାଗିତା ଦରକାର । ଏବଂ ଏହି ସଚେତନତା କାର୍ୟ୍ୟକ୍ରମ ଉପରେ ସମସ୍ତେ ନିଜକୁ ସମର୍ପିତ କରିବା ଉଚିତ ବୋଲି ପୂର୍ବତନ ଵିଧାୟକ ଶ୍ୟାମ ଚରଣ ସମସ୍ତ ପରିବେଶ ପ୍ରେମୀଙ୍କୁ ଅନୁରୋଧ କରିଥିଲେ । ଏଥିସହ ସଵୁଜ ପରିବେଶ ସୃଷ୍ଟି ପାଇଁ ସମସ୍ତେ ନିରନ୍ତର ପ୍ରୟାସ ଜାରି କରିବା ଉଚିତ ବୋଲି ସେ କହିଥିଲେ । ପରେ ଖେଳ ପଡିଆ ନିକଟରେ କରଞ୍ଜ, ଅଁଳା, ନିମ୍ଵ, ପଣସ, ଆମ୍ବ, ଛତନା,କୁସୁମ ପ୍ରଭୃତି ବିଭିନ୍ନ କିସମର ଗଛ ରୋପଣ କରାଯିବା ସହ ଉପସ୍ଥିତ ଥିବା ସମସ୍ତ ପରିବେଶପ୍ରେମୀଙ୍କୁ ଚରା ବଣ୍ଟନ କରାଯାଇଥିଲା । ବାଇଦାପୋଷୀ ଷ୍ପୋର୍ଟସ କମିଟିର ପରିବେଶ ସନ୍ତୁଳନ ପାଇଁ ଏହି ମହତ କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।