ରଙ୍ଗିନ ଆଲୋକରେ ଝଲସୁଛି କୋଣାର୍କ ଉତ୍ସବ

(ଜୟନ୍ତ କୁମାର ସେଠୀ / ପୁରୀ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ଉତ୍ସବ ୨୦୨୦ ଓ ଆର୍ନ୍ତାଜାତିକ ବାଲୁକା ମହୋତ୍ସବ । ଏଥି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ସଂଧ୍ୟା ସମୟରେ ରଙ୍ଗିନ ଆଲୋକରେ ଝଲସିଲାଣି କୋଣାର୍କ । ବିଶେଷକରି କୋଣାର୍କ ଏନଏସିର ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରୀ ନିବାସ ଆଦି ସ୍ଥାନକୁ ଆଲୋକୀକରଣ କରିଛି ପର୍ୟ୍ୟଟନ ବିଭାଗ । ମୁକ୍ତାକାଶ ରଙ୍ଗ ମଂଚ ଓ ଚନ୍ଦ୍ରଭାଗା ପୀଠ ରଙ୍ଗିନ ଆଲୋକରେ ଝଲସୁଥିବା ବେଳେ ପର୍ୟ୍ୟଟକ ମାନଙ୍କୁ ଏହା ବେଶ ଆକୃଷ୍ଟ କରିଛି । ପର୍ୟ୍ୟଟନ ବିଭାଗ ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବକୁ ମଧ୍ୟ ଆକର୍ଷଣ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି । ୫ ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗ ମଂଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ କୋଣାର୍କ ଉତ୍ସବ ଓ ବାଲୁକା ମହୋତ୍ସଵରେ କରୋନା କଟକଣା ପାଇଁ ବିଦେଶରୁ କେହି ଏଥର ପ୍ରତିନିଧିତ୍ଵ କରିବେ ନାହିଁ ଏହି କାର୍ୟ୍ୟକ୍ରମରେ । ଆଜି ମୁକ୍ତାକାଶ ରଙ୍ଗମଂଚରେ ଓଡିଶୀ , ଭାରତନାଟ୍ୟମ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ପରିବେଷଣ କରାଯିବ । ବିଶେଷ କରି ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ଦୁଇ ଚକିଆ ଓ ଚାରି ଚକିଆ ଯାନ ସହିତ ବଡ଼ ବସ ଗୁଡିକୁ ଭିନ୍ନ ଭିନ୍ନ ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି ।କୋଣାର୍କ ହେଲିପ୍ୟାଡେରେ ପାର୍କିଂ ଏବଂ ଏହା ସହିତ କୋଣାର୍କ ଆଇଓସିଏଲକୁ ମାଗଣା ପାର୍କିଂ ଭାବେ ଓ ମୁକ୍ତାକାଶ ରଙ୍ଗମଞ୍ଚରେ ହାରାହାରି ୧୫୦ ଜଣ ଦର୍ଶକଙ୍କୁ ନେଇ ନୃତ୍ୟ ସଙ୍ଗୀତ ମହୋତ୍ସବ ଆୟୋଜନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ।
ସେପଟେ ବାଲୁକା ମହୋତ୍ସବରେ ପର୍ୟ୍ୟଟକଙ୍କ ଭିଡ଼କୁ ଆଖି ଆଗରେ ରଖି ବାଲୁକା କଳା ପ୍ରଦର୍ଶନକୁ ସୀମିତ ଲୋକଙ୍କୁ ଧାଡିରେ ଛଡ଼ାଯିବ । ଯେଉଁଥିରେ ଦର୍ଶକମାନେ ପର୍ୟ୍ୟାୟ କ୍ରମେ ବୁଲିପାରିବେ ଓ ଏକା ସାଙ୍ଗରେ ୨୦ ଜଣ ପର୍ୟ୍ୟଟକଙ୍କୁ ଭିତରକୁ ଛଡ଼ାଯିବାର ବ୍ୟବସ୍ଥା କରିଛି ପ୍ରଶାସନ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୪ ଜଣ ବାଲୁକା ଶିଳ୍ପୀ ଯୋଗ ଦେଉଥିବା ବେଳେ ରାଜ୍ୟ ବାହାରୁ ୬ ଜଣ ପ୍ରତିଯୋଗୀ ଏହି ବାଲୁକା କଳାରେ ଭାଗ ନେବେ ।