ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର ପଛର ମାଷ୍ଟର ମାଇଣ୍ଡ!

ଭୁବନେଶ୍ୱର/ଶିଳାସ୍ମିତା ରାୟ: ମୁହଁ ଖୋଲିଲେ ମଲ । ଆଗରୁ ଶୁଣାଯାଉଥିଲା । ଏବେ ଦେଖିଲେ । ଗୋପାଳପୁର ବିଧାୟକ ପ୍ରଦୀନ ପାଣିଗ୍ରାହୀ ମୁହଁ ଖୋଲି ଦଳରୁ ଗଳାଧାକା ଖାଇଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଶ୍ୱସନୀୟତା ପ୍ରତିପାଦନ ତାଙ୍କ ପାଇଁ ମହଙ୍ଗା ହୋଇଛି । ତେବେ କାହିଁକି ଓ କିପରି? ଏହା ଏବେ ଏକ ବିରାଟ ପ୍ରଶ୍ନ ହୋଇ ଛିଡା ହୋଇଛି ।

ସେ ନିଜେ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଜଣାଇଥିଲେ । ଏହା ପରେ ବବି ଦାସ ଓ ଅଚ୍ୟୁତ ସାମନ୍ତ ତାଙ୍କ ଘରକୁ ଯାଇ ପରୋକ୍ଷ ଧମକ ଦେଇଥିଲେ ଓ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହି ଘଟଣାକ୍ରମ ଅଡୁଆ ଓ ଅସ୍ୱାଭାବିକ ମନେ ହେଉଛି । ଯାହା ବିରୋଧରେ ଷଡଯନ୍ତ୍ର ହେଉଛି, ତାଙ୍କୁ ସୂଚନା ଦେଇ ଜଣେ ପୁରସ୍କୃତ ହେବା ବଦଳରେ ବହିଷ୍କୃତ ହେବା ଘଟଣା ହଜମ ହେଉ ନାହିଁ । ତେବେ କଣ ମୁଖ୍ୟମନ୍ତ୍ରୀ ନିଜେ ହିଁ ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ? ନିଜେ ନବୀନ ନିଜ ସରକାର ଭାଙ୍ଗି ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଇବାକୁ ଯୋଜନା କରୁଛନ୍ତି?

ଏପରି କହିବାର କାରଣ ନବୀନଙ୍କୁ ବାଦ ଦେଇ ବିଜେଡିର ଅସ୍ତିତ୍ୱ କିଛି ନାହିଁ । ନବୀନଙ୍କୁ ବାଦ ଦେଇ ବିଜେଡି ଭୋଟ ହାସଲ କରିବା ଅସମ୍ଭବ । ତେଣୁ ନବୀନଙ୍କ ଫେସ ଭ୍ୟାଲୁରେ ଚଳିତ ଥର ନିର୍ବାଚନ ଲଢି ଅନ୍ୟ ଜଣକୁ ଗାଦିରେ ବସାଇବାକୁ ହୋଇଛି ଯୋଜନା? ହେଲେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବବି ଦାସ, ଅଚ୍ୟୁତ ସାମନ୍ତ ନାଁ ଭି କେ ପାଣ୍ଡିଆନ? କିନ୍ତୁ ପାଣ୍ଡିଆନ ଓଡିଆ ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ହେବାର ପ୍ରଶ୍ନ ଉଠୁନାହିଁ । ତେବେ କଣ ପାଣ୍ଡିଆନଙ୍କ ଧର୍ମପତ୍ନୀ ତଥା ଆଇଏଏସ ଅଫିସର ସୁଜାତା ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା ହୋଇଛି?

ଏହି ଯୁକ୍ତିକୁ ମଧ୍ୟ ସ୍ୱୀକାର କରିବା ସମ୍ଭବ ହେଉ ନାହିଁ । କାରଣ, ବିଶେଷଜ୍ଞଙ୍କ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କର କ୍ଷମତା, ପଦବୀ ପ୍ରତି ରହିଛି ପ୍ରବଳ ଦୁର୍ବଳତା । ସେ କେବେ ସହଜରେ ପଦ ଛାଡିବେ ନାହିଁ । ତେବେ କଣ ବବି, ଅଚ୍ୟୁତ ଓ ପାଣ୍ଡିଆନ ମିଶି ଷଡଯନ୍ତ୍ର କରୁଛନ୍ତି? ହେଲେ ଏ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ? ତେବେ କଣ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ରକାରୀଙ୍କ କବଜାରେ? ମୁଖ୍ୟମନ୍ତ୍ରୀଙ୍କୁ କଣ ରଖାଯାଇଛି ନଜରବନ୍ଦୀ, ଗୃହବନ୍ଦୀ କରି? ଏମିତି ଅନେକ କଳ୍ପନା ଜଳ୍ପନା ମଧ୍ୟରେ ଦେଖିବାକୁ ରହିଲା ରାଜ୍ୟ ରାଜନୀତି କେଉଁ ମୋଡ ନେଉଛି?