୧୦ ଦିନରେ ପହଞ୍ଚିଲା ଆଇଓସିଏଲ ବିରୋଧରେ ଧାରଣା

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) – ଦୁର୍ଦିନରେ ଏବେ ପାରାଦ୍ବୀପ ଆଇଓସିଏଲ ପାଇଁ ଜମି ହରାଇଥିବା ପରିବାର। ଚାଷ କରି ପେଟ ପୋଷିବା ପାଇଁ ନା ପାଖରେ ଅଛି ଜମି, ନା ପ୍ରକଳ୍ପରେ ମିଳୁଛି ନିଯୁକ୍ତି। କିନ୍ତୁ ଆଇଓସିଏଲର ବିଭିନ୍ନ କାର୍ୟ୍ୟର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି ଏଠାରେ ନିୟୋଜିତ କରିବାରେ ଲାଗିଛନ୍ତି। ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ। ଆଇଓସିଏଲର ଏହିଭଳି ଏକ ଠିକା ସଂସ୍ଥା ଗାଲାକନ କମ୍ପାନୀ ବିରୁଦ୍ଧରେ ଦିର୍ଘ ୧୦ ଦିନ ହେଲା ଧାରଣା ଦେଇଛନ୍ତି ଭୂମିହରା କୃଷକ ଏକତା ମଞ୍ଚ। ସ୍ଥାନୀୟ ପ୍ରକଳ୍ପରେ ନିଯୁକ୍ତି ପାଇଁ ଛୋଟ ପିଲା, ମହିଳାଙ୍କୁ ଧରି ଆନ୍ଦୋଳନ କରୁଛି ଏହି ମଞ୍ଚ। ଟେଣ୍ଡର ପାଇବା ପରେ ଗାଲାକନ କମ୍ପାନୀ କର୍ତୃପକ୍ଷଙ୍କୁ ମଞ୍ଚର କର୍ମକର୍ତ୍ତା ଭେଟି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ଏବଂ ଏହାକୁ ଠିକା ସଂସ୍ଥା ଗ୍ରହଣ କରିବା ସହିତ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରବର୍ତ୍ତୀ ପର୍ୟ୍ୟାୟରେ ଠିକା ସଂସ୍ଥା ଏହି ପ୍ରତିଶ୍ରୁତି ରୁ ଓହରି ଯାଇ ବାହାର ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦେଉଛନ୍ତି। ଯାହାକୁ ବିରୋଧ କରି ଭୂମିହରା କୃଷକ ଏକତା ମଞ୍ଚ ୧୦ ଦିନ ହେଲା ଠିକା ସଂସ୍ଥା ସମ୍ମୁଖରେ ଧାରଣା ଦେବା ସହିତ ନିଜ ପରିବାରକୁ ମଧ୍ୟ ଏଥିରେ ସାମିଲ କରିଛନ୍ତି। ଏ ପର୍ୟ୍ୟନ୍ତ ସେମାନଙ୍କ ନିକଟରେ କମ୍ପାନୀ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପହଞ୍ଚି ନାହାନ୍ତି। ଯେ ପର୍ୟ୍ୟନ୍ତ ନିଯୁକ୍ତି ନ ମିଳିଛି ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି।
ବାଇଟ- ବିଣାପାଣି ସାମଲ (ଆନ୍ଦୋଳନକାରୀ )
ବାଇଟ- ପ୍ରକାଶ ତ୍ରିପାଠୀ ( ଉପଦେଷ୍ଟା)