(ରିପୋଟର୍ସ ଟୁଡେ/ଭୁବନେଶ୍ୱ): ମହାନଦୀରେ ବୁଡି ଯାଉଥିବା ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଜୀବନ ଗଲା । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍ ପ୍ରଧାନ (୧୭) ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁ ଦୁଇ ଭାଇ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ବଡ ଭାଇ ଆଶିଷ ମହାନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ଜୀବନ ରକ୍ଷା କରିବା ପାଇଁ ବିକଳରେ ଚିତ୍କାର କରିଥିଲେ । ଉଭୟ ଭାଇଙ୍କ ଚିତ୍କାର ଶୁଣି ସେଠାରେ ଥିବା ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା । ହରଭଙ୍ଗା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି ।