(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ଉଲଙ୍ଘନକାରୀଙ୍କ ପାଇଁ ବଢିଲା କଠୋର କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଧିକାରୀଙ୍କୁ ଦିଆଗଲା ପାୱାର । ବାହାରେ ବୁଲିଲା ବେଳେ ପୋଲିସ ଚେକିଂରେ ପଡି ବାହାନା କଲେ ଅମାନିଆଙ୍କୁ ଆଉ ଛଡାଯିବା ନାହିଁ । ଏଥିପାଇଁ ଆଇପିସି-୧୮୮ଧାରା ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରାଯାଇଛି ।
ସୁଚନାଯୋଗ୍ୟ, କୋରୋନା ସଂକ୍ରମଣକୁ ରୋକିବାଲାଗି ରାଜ୍ୟରେ ଲକଡାଉନ କରାଯାଇଛି । ଲକଡାଉନକୁ ସତ୍ୱେ ଅନେକ ଅମାନିଆ ନିୟମ ଉଲଙ୍ଘନ କରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହି ଅମାନିଆଙ୍କୁ ସାବାଡ କରିବା ଲାଗି ଥାନା ଅଧିକାରୀଙ୍କୁ ଅଧିକ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଗୁରୁବାର ଗୃହ ବିଭାଗ ପକ୍ଷରୁ ନିର୍ଦ୍ଧେଶନାମା ଜାରୀ ହୋଇଛି । ଆଇପିସ-୧୮୮ ଧାରା ଓ ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଧାରା ୫୧ରୁ ୬୦ ଏବଂ ଆଇପିସି-୧୮୮ ଧାରାରେ ଥାନା ଅଧିକାରୀ ଅମାନିଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଠ ହୋଇଛି । । ଏହା ସହ ଓଡିଶାରେ ସାଧାରଣ ଲୋକଙ୍କ ଭଳି ସରକାରୀ ଅଧିକାରୀ କର୍ତ୍ତବ୍ୟରେ ଅବହେଳା ଓ ଲକଡାଉନ ନିୟମ ଉଲଙ୍ଘନ କଲେ ସେମାନଙ୍କ ଉପରେ କାର୍ଯ୍ୟାନଷ୍ଠାନ ନେବା ପାଇଁ ଉଲ୍ଲେଖ ମଧ୍ୟ କରାଯାଇଛି ।