ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ସତର୍କତା ସୂଚନା ଜାରି

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଓଡିଶା ସିଓଭିଆଇଡି-୧୯ ରେଗୁଲେସନ ୨୦୨୦ ବ୍ୟବସ୍ଥା ଅନୁସାରେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅନ୍ୟାଦେଶ ପର୍ୟ୍ୟନ୍ତ ବାତିଲ କରାଯାଇଛି । କରୋନା ଭାଇରସକୁ ନେଇ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସାରା ଜିଲ୍ଲାରେ ବ୍ୟାପକ ଅଭିଯାନ ନିଆ ଯାଇଥିବାବେଳେ ସହରାଂଚଳଠୁ ଆରମ୍ଭକରି ଗ୍ରାମ ପଂଚାୟତସ୍ତର ଯାଏଁ ସ୍ବଚ୍ଛତା,ପରିଷ୍କାରକୁ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବାସହ ସାମାଜିକ ଉତ୍ସବ ନାଁରେ ଅଧିକ ଜନଗହଳି ନ କରିବା କିମ୍ବା ଭୋଜିଭାତ ନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ବିଶେଷକରି ଜିଲ୍ଲାର କୌଣସି ସ୍ଥାନରେ ଯାନିଯାତ୍ରା,ମେଳା ମହୋତ୍ସବ କି ଜିଲ୍ଲାର କୌଣସି ଆଧ୍ୟାତ୍ମିକ ପୀଠ ପର୍ୟ୍ୟଟନସ୍ଥଳୀରେ ଅଧିକ ଜନ ସମାଗମ ନ କରିବାକୁ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ପ୍ରମୁଖ ସହରରେ ଥିବା ମଲ୍,ବ୍ୟବସାୟିକ ପେଣ୍ଠସ୍ଥଳୀ ସବୁକୁ ଆଜିଠୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ,ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ସଫା ସୁତୁରା ସହ ଚିକିତ୍ସା ସେବାକୁ ତ୍ବାରାନ୍ନିତ କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।