ଅସମ୍ଭାଳ ଶୀତ; ଥରୁଛି ସାରା ଦେଶ

ଭୁବନେଶ୍ୱର: ପ୍ରଚଣ୍ଡ ଶୀତରେ ଥରୁଛି ସାରା ଦେଶ। ପୂର୍ବ, ପଶ୍ଚିମ, ଉତ୍ତର; ଦକ୍ଷିଣ ସବୁଠି ସ୍ଥିତି ଅସମ୍ଭାଳ। ଅନକେ ସ୍ଥାନରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଆଉ କେତେକ ସ୍ଥାନରେ ଥଣ୍ଡାରେ ଲୋକଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି।

ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଶହେ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ଡିସେମ୍ବରରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରିକୁ ଖସି ଆସିଛି। କେବଳ ଦିଲ୍ଲୀ ନୁହେଁ, ଏହା ନିକଟରେ ଥିବା ସହରଗୁଡ଼ିକରେ ବି ସମାନ ସ୍ଥିତି ଲାଗିରହିଛି। ସର୍ବନିମ୍ନ ତାପମାତ୍ରା ହଠାତ୍‌ ୩ରୁ ୪ ଡିଗ୍ରି ଖସିଯିବାକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଭାରତରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପାଖାପାଖି ୫ ଡିଗ୍ରି ତଳେ ରହିଛି। ଗତକାଲି ଦିଲ୍ଲୀ ସମେତ କେତେକ ରାଜ୍ୟରେ ଥଣ୍ଡା ରେକର୍ଡ ଭାଙ୍ଗିଛି। ଆସନ୍ତା ୪୮ ଘଣ୍ଟା ଧରି ଏଭଳି ଭୟଙ୍କର ଶୀତ ଲାଗି ରହିବ। ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶର ଅଧା ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

୨୮ ତାରିଖ ପାଇଁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତର ପ୍ରଦେଶ ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ସିକିମ୍‌ ଆଦି ରାଜ୍ୟ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶା ସମେତ ଉପରୋକ୍ତ ରାଜ୍ୟଗୁଡ଼ିକରେ ଶୀତ ସହ ଘନ କୁହୁଡ଼ି ଲାଗିରହିବ।

୨୯ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଲେ ମଧ୍ୟ ପଞ୍ଜାବ, ହରିୟାଣା, ଛତିଶଗଡ଼ ଓ ଦିଲ୍ଲୀରେ ପାଖାପାଖି ସମାନ ସ୍ଥିତି ଜାରି ରହିବ। ୩୦ ତାରିଖଠାରୁ ଓଡ଼ିଶାରେ ପାଗରେ ପରିବର୍ତନ ଆସିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।