ଗୋଟିଏ ଘଣ୍ଟା ମଧ୍ୟରେ ୫ଥର ଥରିଲା ଋଷ, ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଋଷର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚଟି ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା । ଭୂମିକମ୍ପ ଯୋଗୁଁ କୌଣସି କ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ। ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରଠାରୁ ୧୪୪ କିଲୋମିଟର ପୂର୍ବରେ ୨୦ କିଲୋମିଟର ଗଭୀରରେ ଥିଲା। ଏହି ସହରର ଜନସଂଖ୍ୟା ୧,୮୦,୦୦୦। ଏହାର କିଛି ମିନିଟ୍ ପୂର୍ବରୁ, ନିକଟସ୍ଥ ଅଞ୍ଚଳରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ରବିବାର, ଜୁଲାଇ ୨୦ତାରିଖରେ ଋଷର ପୂର୍ବଉପକୂଳରେ ଅନେକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସୁନାମି ସତର୍କତା ଜାରି କରାଯାଇଥିଲା। ପୂର୍ବରୁ ରିକ୍ଟର ସ୍କେଲରେ ୫.୦ ଏବଂ ୬.୭ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ପରେ କୌଣସି ସୁନାମି ସତର୍କତା ନଥିଲା। କିନ୍ତୁ ୭.୪ ତୀବ୍ରତାର ଭୂମିକମ୍ପ ହେବା ପରେ, USGS “ବିପଜ୍ଜନକ ସୁନାମି ତରଙ୍ଗ ସମ୍ଭବ” ବୋଲି ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ, ୧୯୯୨ରେ କାମଚଟକାରେ ୯.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିଯୋଗୁଁ ୩୦ ଫୁଟର ସୁନାମୀ ଆସିଥିଲା । ୧୯୦୦ ମସିହାରୁ ଏହି ଅଞ୍ଚଳରେ ୮.୩ ବା ତା’ଠାରୁ ଅଧିକ ମ୍ୟାଗ୍ନିଚ୍ୟୁଡର ସାତୋଟି ବଡ଼ ଭୂମିକମ୍ପ ଘଟିଛି।