ଗୁଜୁରାଟରେ ପୁଣି ଓମିକ୍ରନ ସଂକ୍ରମିତ ଚିହ୍ନଟ
ଧୀରେ ଧୀରେ ଓମିକ୍ରନ ଏବେ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି।
(ସୁରଟ) : ଧୀରେ ଧୀରେ ଓମିକ୍ରନ ଏବେ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ଭିତରେ ଗୁଜରାଟର ସୁରତରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଜଣେ ହୀରା ବ୍ୟବସାୟୀ। ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏହି ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇ ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୪୧କୁ ବଢ଼ିଛି।
ସୂଚନାନୁଯାୟୀ, ସୁରତରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବ୍ୟବସାୟୀଙ୍କ ବୟସ ୪୨ ବର୍ଷ। ସେ ଡିସେମ୍ବର ୩ରେ ଦକ୍ଷିଣ ଆଫ୍ରିକାରୁ କେନିୟା ଓ ଅବୁଧାବି ଦେଇ ଦିଲ୍ଲୀରେ ପହଞ୍ଚିଥିଲେ। ପ୍ରୋଟକଲ ଅନୁଯାୟୀ, ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ଏହା ନେଗେଟିଭ ଆସିଥିଲା। ଡିସେମ୍ବର ୪ରେ ପୁଣି ତାଙ୍କର ଟେଷ୍ଟ କରାଯାଇଥିଲେ ହେଁ ଏହା ପଜିଟିଭ ଆସି ନଥିଲା। ବର୍ତ୍ତମାନ ସଂକ୍ରମିତ ଜଣଙ୍କ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ହସ୍ପିଟାଲକୁ ସ୍ତାନାନ୍ତର କରିବାକୁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ତାଙ୍କର ସମସ୍ତ ସମ୍ପର୍କୀୟ ଓ ୪ ଜଣ ସହଯୋଗୀ ଯାତ୍ରୀଙ୍କର ମଧ୍ୟ ଟେଷ୍ଟ କରାଯାଇଥିଲା। ହେଲେ କାହାର ବି ରିପୋର୍ଟ ପଜିଟିଭ ଆସିନି। ଏହାପୂର୍ବରୁ ଜାମନଗରରେ ୨ ଜଣ ଓ ଅହମଦାବାଦରେ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ।