(ଉତ୍ତରପ୍ରଦେଶ) : ଗଛରେ ପିଟି ହେଲା ଏକ ପିକ୍ଅପ୍ ଭ୍ୟାନ୍ । ଫଳରେ ଆଃ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ୭ ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କୁ ପିଲଭିତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ବରେଲୀ ସ୍ଥାନାନ୍ତର କରାଯାଇଥିବା ପିଲିଭିତ୍ ଜିଲ୍ଲାପାଳ ପୁଲ୍କିତ୍ ଖାରେ କହିଛନ୍ତି। ଏହି ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ସୂଚନାନୁଯାୟୀ , ମୃତକମାନେ ହରିଦ୍ୱାର ଯାଇଥିଲା। ବୁଧବାର ଗଙ୍ଗା ସ୍ନାନ କରି ସେଠାରୁ ସେମାନେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲାର ଗୋଲା ଗାଁକୁ ଫେରୁଥିବା ବେଳେ ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୧୦ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ପିକ୍ଅପ୍ ଭ୍ୟାନ୍ଟି ଦ୍ରୁତ ଗତିରେ ଯାଉଥିଲା। ସେହି ସମୟରେ ଡ୍ରାଇଭରର ଆଖି ଲାଗି ଯିବାରୁ ଏହା ଗଛରେ ପିଟି ହୋଇଥିଲା।
ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ କରୁଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।