ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ । ଏନେଇ ଆଜି ଠାରୁ ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ ପଠା ଯାଉଛି । ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆଜିଠାରୁ ଦେଶର ପ୍ରମୁଖ ଦେବ ପୀଠକୁ ନିମନ୍ତ୍ରଣ ପତ୍ର ଦିଆଯିବ ।ଏହାରି ଭିତରେ ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଦାନ କରାଯିବ ପ୍ରଥମ ନିମନ୍ତ୍ରଣ ପତ୍ର । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ଦିଆଯିବ । ପରେ ବିଭିନ୍ନ ଦଳଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ। ଏହି କାର୍ୟ୍ୟକ୍ରମକୁ ଅତ୍ୟନ୍ତ ଭବ୍ୟ ଭାବରେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯିବ। ଏନେଇ ପୁରୀଠାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ହୋଇଛି। ୨୮ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ। ୧୩ଟି ଗାଡ଼ି ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିବେ। ସେହିପରି ୧୭ଟି ଗାଡ଼ି ରାଜ୍ୟ ବାହାରକୁ ଯାତ୍ରା କରିବ।