(ଜ୍ୟୋତିରଞ୍ଜନ ଧର) କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଗଦାଶିଳା ପଞ୍ଚାୟତ ଅଧୀନସ୍ଥ ଗ୍ରାମଗୁଡିକୁ ଏନ.ଟି.ପି.ସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଜଳ ଯୋଗାଣ ବନ୍ଦ ହୋଇଥିବା ପ୍ରତିବାଦରେ ଏନ.ଟି.ପି.ସି ଟାଉନସିପ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ସକାଳୁ ଜଳ ଯୋଗାଣ ବନ୍ଦ ଥିବାରୁ ଗଦାଶିଳା ସରପଞ୍ଚ ଜେମାମଣି ନାଏକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ହାତରେ ଗରା, ବାଲ୍ଟି ଧରି ପ୍ରତିବାଦ କରି ଅବିଳମ୍ବେ ଆବଶ୍ୟକ ମୁତାବକ ଜଳ ଯୋଗଣ କରିବାକୁ ଅଡି ବସିଥିଲେ । ଏନ.ଟି.ପି.ସି କଣିହାଁ ପ୍ରକଳ୍ପର ଜଳ ଯୋଗାଣ ବିଭାଗର ଅଫିସର ମାନଙ୍କ ମନମୁଖୀ ଓ ବେପାରୁଆ କାର୍ଯ୍ୟ ଯୋଗୁଁ ଜଳ ଯୋଗାଣ ବନ୍ଦ ରହିଛି ବୋଲି ଅଭିଯୋଗ ହୋଇଛି । ଏନ.ଟି.ପି.ସି ପ୍ରକଳ୍ପ ଦ୍ୱାରା ଧୂଳି, ଧୂଆଁ, ପାଉଁଶ ଓ କୋଇଲା ଗୁଣ୍ଡରେ ଏହି ଅଂଚଳ ଆକ୍ତାମାକ୍ତା ହେଉଥିବା ବେଳେ ସଠିକ୍ ଭାବେ ଆବଶ୍ୟକ ମୁତାବକ ଜଳ ଯୋଗାଣ କରିବାକୁ ସରପଞ୍ଚ ଶ୍ରୀମତୀ ନାଏକ ଦାବି କରିଛନ୍ତି । ଏନ.ଟି.ପି.ସି ଜଳ ଯୋଗାଣ ବିଭାଗର ଅଧିକାରୀ ମାନେ ବୁଝାସୁଝା କରି ଆଜି ମଧ୍ୟରେ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ମହିଳାମାନେ ଆନ୍ଦୋଳନରୁ ଓହରି ଥିଲେ । ଏହି ଆନ୍ଦୋଳନରେ ପୂର୍ବତନ ସରପଞ୍ଚ ମାନସୀ ସ୍ୱାଇଁ, ୱାର୍ଡ ସଭ୍ୟ ବୃନ୍ଦାବନ ପ୍ରଧାନ, ମହିଳା ସଂଗଠିକା ପ୍ରଗତିବାଳା ନାୟକ, ଅହଲ୍ୟା ସାହୁ ପ୍ରମୁଖ ସାମିଲ ଥିଲେ । ବିଶେଷ ସୂତ୍ରରୁ ଜଣା ଯାଇଛି ଯେ ଏନ.ଟି.ପି.ସିର ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ଠିକାଦାର ଜାତୀୟ ଛୁଟି ଦିନର ଅତିରିକ୍ତ ମଜୁରୀ ପ୍ରଦାନ କରୁ ନଥିବାରୁ ଶ୍ରମିକମାନେ ଗତକାଲି ସ୍ୱାଧୀନତା ଦିବସରେ କାର୍ଯ୍ୟରେ ଯୋଗ ଦେଇ ନଥିଲେ । ଫଳରେ ଗଦାଶିଳା, କରଡେଇ, କାଟେଣୀ, ରଙ୍ଗବେଡା, ରଙ୍ଗବେଡା ବଜାର, ପି.ଟି.ଏସ, ବୁଧବାର ହାଟକୁ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ।