(ହର ପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ଆସନ୍ତା ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଉପଶମ ଚିକିତ୍ସା ଯୋଗାଇଦେବେ । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହା ସ୍ଥିର ହୋଇଛି । ଏଥିରେ ରୋଗୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଶଯ୍ୟା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ବାଲେଶ୍ୱର,ବରଗଡ,କଳାହାଣ୍ଡି,କନ୍ଧମାଳ,କୋରାପୁଟ,ନୟାଗଡ ଓ ସୁନ୍ଦରଗଡରେ ଏହି ଚିକିତ୍ସା ଆରମ୍ଭ ହେବ । ୨୦୨୦-୨୧ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ଏହା ସମ୍ପ୍ରସାରିତ କରିବାର ଯୋଜନା ରହିଛି । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ସମେତ ୨୬ଟି ଜିଲ୍ଲାରେ କର୍କଟରୋଗୀଙ୍କୁ ଜେମୋ ଚିକିତ୍ସା ଯୋଗାଇ ଦିଆଯାଇଥିବାବେଳେ ଖୁବଶୀଘ୍ର କଟକ ସିଟି ହସ୍ପିଟାଲ,ପୁରୀ,ମାଲକାନଗିରି,ମୟୂରଭଞ୍ଜ,ଦେବଗଡ,ଅନୁଗୁଳ,ବୁର୍ଲାର ଭିମସାର ଓ ବ୍ରହ୍ମପୁର ଏମକେସିଜିରେ ଏହା ଆରମ୍ଭ ହେବ । ଏମକେସିଜି ବ୍ରହ୍ମପୁର ଓ ମିସାର ବୁର୍ଲାର କର୍କଟ ବିଭାଗରେ ରୋଗୀଙ୍କ ଲାଗି ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ । କଟକ ଏସବିବି ମେଡିକାଲ ଓ ଯକ୍ଷ୍ମାରୋଗ ବିଭାଗକୁ ଏକ ଉତ୍କର୍ଷକେନ୍ଦ୍ରରେ ପରିଣତ କରିବା ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଏଠାରେ ଟିଏମ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରୁଥିବା ‘ମୋ ସରକାର’ ଯୋଜନା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଅଧିକାରୀମାନେ ରୋଗୀମାନଙ୍କୁ ସିଧାସଳଖ ଟେଲିଫୋନ କରି ସେମାନଙ୍କର ସୁବିଧା ଅସୁବିଧା ବୁଝିବେ । ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭକରି ଜିଲ୍ଲା ସ୍ତରରେ ଚିକିତ୍ସିତ ରୋଗୀଙ୍କ ସହ ଦୈନିକ ଆଲୋଚନା କରିବେ ।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଗମର ଏମଡି ୟାମିନୀ ଷଢଙ୍ଗୀ,ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସ୍ୱତନ୍ତ୍ର ସଚିବ,ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ,ତିନି ମେଡିକାଲ କଲେଜର ପ୍ରିନିପାଲ,ସୁପରିଟେଣ୍ଡ ଓ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ ।