( ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା: ଖୋର୍ଦ୍ଧା ବିକାଶ ପରିଷଦ ପକ୍ଷରୁ ସହରର ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ସମ୍ପର୍କରେ ପ୍ରଦାନ କରାଯାଇଥିବା ଏକ ଦାବୀ ପତ୍ର ବିଷୟରେ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ସ୍ୱଚ୍ଛତା ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଖୁବ୍ ଶୀଘ୍ର ଡ଼ାକ୍ତରଖାନା ଚାରି ପାଶ୍ୱର୍ରେ ପଥର ପାଚେରୀ ନିର୍ମାଣ, ଶବ ବ୍ୟବଚ୍ଛେଦ ଗୃହ ସ୍ଥାନାନ୍ତର ଏବଂ ବରିଷ୍ଠ ନାଗରିକମାନଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ମହାପ୍ରାୟାଣ ଗାଡ଼ି ସେବା ଆରମ୍ଭ ହୋଇଛି ଏବଂ ରୋଗୀଙ୍କୁ ଦଲାଲମାନଙ୍କ କବଳରୁ ଶୋଷଣ ମୁକ୍ତ ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରକାଶ କରିଥିଲେ । ସହରର ରାସ୍ତାରେ ବୁଲା ଗାଈ, ଗୋରୁଙ୍କୁ ସ୍ଥାନାନ୍ତର କରିବା ପାଇଁ ଖୋର୍ଦ୍ଧା ପୌରପରିଷଦ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରର ରାସ୍ତାରେ ପାଇପ୍ ଲାଇନ ପାଇଁ ଖୋଳା ଯାଇଥିବା ରାସ୍ତାକୁ ଜଳ ଯୋଗାଣ କରିବା ପାଇଁ ପୌରପରିଷଦ ଏବଂ ପୁର୍ତ ବିଭାଗ ମିଳିତ ଭାବରେ ତଦାରଖ କରି ପୂଜା ପୂର୍ବରୁ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ହେଲମେଟ, ସିଟ୍ ବେଲଟ ଏବଂ ନାବାଳକ ଗାଡ଼ି ଚାଳଣା ଉପରେ କଟକଣା ଲାଗୁ କରିବା ନିମନ୍ତେ ପରିବହନ ଓ ପୁଲିସ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଥିଲା । ଅଟକି ରହିଥିବା ସରକାରୀ କାର୍ଯ୍ୟପାଇଁ ଆବଶ୍ୟକ ଚିପ୍ସ, ତହସିଲଦାରଙ୍କ ଜରିଆରେ ପୁର୍ତ ବିଭାଗକୁ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଖୋର୍ଦ୍ଧା ଗାନ୍ଧୀ ପଡ଼ିଆ ଠାରେ ଦୈନନ୍ଦିନ ହାଟ ଖୁବ ଶୀଘ୍ର ଆରମ୍ଭ ହେବ, ହାବେଳି ପଡ଼ିଆ ଠାରେ ମାର୍କେଟ କମ୍ପେ୍ଲକ୍ସ, ନୂତନ ବସଷ୍ଟାଣ୍ଡର ଆଧୁନିକିକରଣ କାର୍ଯ୍ୟ ବିଡ଼ିଏ ତରଫରୁ ଖୁବ ଶୀଘ୍ର କରାଯିବ ବୋଲି ସୂଚନା ଦେଇଥିଲେ । ଚାଲୁଥିବା ଗାଡ଼ି ଗୁଡ଼ିକ ପାର୍କିଂ ଫିସ ଆଦାୟ ବନ୍ଦ କରିବା ଏବଂ ପାର୍କିଂ ଫିସ ସାର୍ବଜନୀନ କରିବାକୁ ପୌରପରିଷଦ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଫନି ବାତ୍ୟା ପରଠାରୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ନୂତନ ଖୁଂଟି ପୁନଃସ୍ଥାପନ ଏବଂ ଭାଙ୍ଗି ପଡି ରାସ୍ତାରେ ପଡ଼ିଥିବା ଖୁଂଟିତାର ଆଜି ପର୍ଯ୍ୟନ୍ତ ନ ଉଠିବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଏ ଦିଗରେ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରରେ ପ୍ରତ୍ୟେକ ଦିନ ଘଟୁଥିବା ଚୋରି, ଲୁଟ୍କୁ ରୋକିବା ଦିଗରେ ପୁଲିସର ବିଫଳତା ନିମନ୍ତେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବ୍ରାଉନସୁଗାର ବ୍ୟବସାୟ ପୁଣି ମୁଣ୍ଡ ଟେକୁଛି ଏଥି ପ୍ରତି ପୁଲିସ ଅବକାରୀ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଉଭୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ୫ଟି କାମରେ ସହର ବିକାଶ ପାଇଁ ଏହା ଏକ ଅଂଶ ବିଶେଷ ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଥିଲେ । ଖୋର୍ଦ୍ଧା ବିକାଶ ପରିଷଦ ପକ୍ଷରୁ ଆବାହକ, ଶକ୍ତି ଶଙ୍କର ମିଶ୍ର, ଦେବୀପ୍ରସାଦ ମଜ୍ଜୁମଦାର, ସୋଭନ ଘୋଷ, ମନ୍ମଥ ମିଶ୍ର, ଦୟାନିଧି ରାଉତରାୟ, ସୁଭ୍ରାଂଶୁ ରଂଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।