ଆସିଛି ହୋଲି

(କାଜଲସୁନ୍ଦରାୟ / ଭୁବନେଶ୍ୱର) ;ଫେରିଛି ଫଗୁଣ। ଭଳିକି ଭଳି ରଙ୍ଗର ପସରା ଧରି ପୁଣିଥରେ ମନ ଆଉ ଦେହକୁ ରଙ୍ଗେଇ ଦେବାକୁ ଆସିଛି ବସନ୍ତ ଋତୁ। ସାଥିରେ ଆସିଛି ରଙ୍ଗର ପର୍ବ ହୋଲି ବା ଦୋଳ ପର୍ବ। ଶୀତ ଋତୁର ଶେଷ ଓ ବସନ୍ତ ଋତୁର ଆଗମନରେ ଦୋଳ ପୂର୍ଣ୍ଣିମାକୁ କୁହାଯାଏ ଦୋଳ ପର୍ବ ମାନେ ହୋଲି। ଛୁଆଁ ଅଛୁଆଁ ଜାତି ଅଜାତିର ଭେଦଭାବକୁ ପଛରେ ରଖି ଭ୍ରାତୃତ୍ଵ ଭାବର ଜାଗରଣ ହେବ। ଦ୍ଵାପର ଯୁଗରେ ରାଧାକୃଷ୍ଣଙ୍କ ପ୍ରେମ ସମ୍ପର୍କର ଏ ହେଉଛି ପ୍ରତୀକ। ଏହାଛଡା ରାଜା ହିରଣ୍ୟକଶିପୁର ବଦ୍ଧ କରିବା ପାଇଁ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାରକୁ ମଧ୍ୟ ଏହି ଦିନ ଆରାଧନା କରାଯାଇଥାଏ। କେବଳ ହିନ୍ଦୁ ଧର୍ମ ନୁହେଁ ଶିଖ, ଜୈନ, ବୌଦ୍ଧ ଇତ୍ୟାଦି ଧର୍ମରେ ମଧ୍ୟ ହୋଲି ପର୍ବ ପାଳନ ହୋଇଥାଏ। ସମ୍ପର୍କକୁ ଆହୁରି ନିବିଡ କରାଏ ରଙ୍ଗର ପର୍ବ। ଦେହରେ ମନରେ ବୋଳି ଦିଏ ରଙ୍ଗୀନ ଆଶା ଆଉ ଆଙ୍କି ଦିଏ ସମ୍ପର୍କର ଆଉ ଏକ ଭିନ୍ନ ଚିତ୍ର। ଯେଉଁ ଚିତ୍ରରେ ସ୍ନେହ, ମମତା, ଭଲପାଇବା, ତ୍ୟାଗ ବ୍ୟତୀତ ନଥାଏ ଆଉ କିଛି। ଭାରତ ବ୍ୟତୀତ ପଡୋଶୀ ରାଷ୍ଟ୍ରମାନଙ୍କରେ ମଧ୍ୟ ହୋଲି ପର୍ବ ପାଳନ ହୋଇଥାଏ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ କାନାଡ଼ା ଭଳି ଦେଶବାସୀ ବି ହୋଲିର ମଜା ନେଇଥାନ୍ତି। ତେବେ ଚଳିତ ବର୍ଷ କୋରୋନା କଟକଣା ହୋଲିର ଏହି ମଜା ମସ୍ତି ଉପରେ ରୋକ ଲଗାଇ ଦେଇଛି। କିନ୍ତୁ ଲୋକଙ୍କ ମନରେ ହୋଲିର ସେହି ଉତ୍ସାହ ଉପରେ ନୁହେଁ। ସରକାରଙ୍କ ନିୟମକୁ ଯଥା ସମ୍ଭବ ସମ୍ମାନ ଜଣାଇ ଭର୍ଚୁଆଲ ମିଡିଆରେ ସାଥୀ ସହୋଦରଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟବାସୀ। କୋରୋନାର ଭୟ ଚାଲିଗଲେ ଆଗାମୀ ବର୍ଷ ପୁଣିଥରେ ହୋଲିର ଭରପୁର ଆନନ୍ଦ ଉଠାଇବା ପାଇଁ ଲୋକଙ୍କ ମନରେ ଆଶା ରହିଛି।