(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ଏକ ବ୍ୟତୀକ୍ରମ ଦେଖିବାକୁ ମିଳିଛି କନକ ନ୍ୟୁଜର ୧୦ ବର୍ଷ ପୂର୍ତ୍ତି ଅବସରରେ । ଗୋଟିଏ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୌମ୍ୟ ପଟ୍ଟନାୟକ । ଆପଣମାନଙ୍କ ମନେଥିବ କି ନାହିଁ, ସାଧାରଣ ନିର୍ବାଚନ ପୂର୍ବରୁ ସୌମ୍ୟବାବୁଙ୍କ ଖବର କାଗଜ, ନ୍ୟୁଜ ଚ୍ୟାନେଲ ଓ ୱେବ ଚ୍ୟାନେଲ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖବର ପରିବେଷଣ କରୁଥିଲେ । ପରିସ୍ଥିତି ଏପରି ହେଲା କି ଶେଷରେ ବିଜେପି ପକ୍ଷରୁ ସୌମ୍ୟବାବୁଙ୍କ ଗଣମାଧ୍ୟମକୁ ବିଜ୍ଞାପନ ଦେବା ବନ୍ଦ କରି ଦିଆଗଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସୌମ୍ୟ ବାବୁ ଅଧିକରୁ ଅଧିକ ସମାଲୋଚନା କଲେ ଧର୍ମେନ୍ଦ୍ରଙ୍କୁ ।
ତେବେ ସମାଲୋଚନା କରିବାରେ ସୌମ୍ୟଙ୍କ ତୁଳନା ନାହିଁ । ବିଜେଡିରେ ମିଶିବା ପୂର୍ବରୁ ସମ୍ବାଦ ଓ କନକ ବିଜେଡି ବିରୋଧରେ ଖବର ପ୍ରଚାର କରୁଥିଲେ । ସରକାରୀ କଳର ସମସ୍ତ ଦୋଷ ଦୁର୍ବଳତାକୁ ଉପସ୍ଥାପନ କରି ନିର୍ଭିକ ଗଣମାଧ୍ୟମର ଶ୍ରେୟ ନେଉଥିଲେ । କିନ୍ତୁ ଦଳରେ ମିଶିବା ପରେ ବାବୁଙ୍କ ନିର୍ଭିକ, ନିରପେକ୍ଷ, ସତ୍ୟ ଖବର ପରିବେଷଣ ବନ୍ଦ ହୋଇଗଲା । ନିଜ ଗଣମାଧ୍ୟମକୁ ବିଜେଡିକୁ ବିକି ସେ ହେଲେ ରାଜ୍ୟସଭା ସାଂସଦ । କିନ୍ତୁ ସାଧାରଣ ନିର୍ବାଚନରେ କୌଣସି ପଦ ନ ମିଳିବାକୁ ନେଇ ପୁଣି ବିଜେଡି ଓ ସରକାରକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।
ଏସବୁ ବିଷୟ ତ ସମସ୍ତଙ୍କୁ ଜଣାଥିବ । କିନ୍ତୁ ଆଜି ଧର୍ମେନ୍ଦ୍ରଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ଦେଖି ମାର୍ଚ୍ଚର ଏକ ଦୃଶ୍ୟ ସେଠାରେ ଉପସ୍ଥିତ ବୁଦ୍ଧିଜୀବୀଙ୍କ ମନେ ପଡିଯାଇଥିଲା । ବିଜେଡିକୁ ଆସିବା ପୂର୍ବରୁ ସୌମ୍ୟବାବୁ ବିଜେଡି ସୁପ୍ରିମୋଙ୍କ ଏକ ସାକ୍ଷାତକାର କନକ ଟିଭି ପାଇଁ ଆୟୋଜନ କରିଥିଲେ । ଏହି ସାକ୍ଷାତକାରକୁ ସୌମ୍ୟଙ୍କ ଅଲିଅଳି କନ୍ୟା ତନ୍ମୟା ନେଇଥିଲେ । କିଛି ଦିନ ପରେ ଶୁଣୁ ଶୁଣୁ ସୌମ୍ୟ ଯାଇ ବିଜେଡିରେ । ଏବେ ସେ ଦଳ ଉପରେ ଖପ୍ପା । ତେଣୁ ଆଜିର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କୁ ଡକାଯାଇଛି । ଆଉ ନବୀନଙ୍କ ସାକ୍ଷାତକାର ପରି ଆଜି ମଧ୍ୟ ତନ୍ମୟା ଧର୍ମେନ୍ଦ୍ରଙ୍କ ସାକ୍ଷାତକାର ନେଇଛନ୍ତି । ଆଉ ସବୁଠାରୁ ବଡ କଥା ହେଲା, ଧର୍ମେନ୍ଦ୍ରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ନବୀନଙ୍କୁ ପଚରାଯାଇଥିôବା ପ୍ରଶ୍ନକୁ ମେଳ ଖାଉଥିଲା । ଏହାକୁ ଦେଖି ଚର୍ଚ୍ଚା ହେଉଛି, ଏବେ କଣ ବିଜେପି ମୁହାଁ ହୋଇଛନ୍ତି କି ସୌମ୍ୟ?