ରାଜସ୍ୱ ସହାୟତା ରଥର ଶୁଭାରମ୍ଭ

(ଦୀପକ ମିଶ୍ର)ଉଦଳା: ଅନଲାଇନରେ ଖଜଣା ପ୍ରଦାନ ତଥା ମୋ ସରକାରର ବାର୍ତ୍ତା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଉଦ୍ଦେଶ୍ୟରେ ଖୁଣ୍ଟା ତହସିଲ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ରାଜସ୍ୱ ସହାୟତା ରଥ ଆଜି ଗଡ଼ିବା ଆରମ୍ଭ କରିଛି। ଖୁଣ୍ଟା ତହସିଲଦାର ସ୍ମରଣ କୁମାର ପୃଷ୍ଟି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏହି ରଥର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ରାଜସ୍ୱ ପରିଦର୍ଶକ ବ୍ରଜ ବିହାରୀ ସାହୁ ଆନୁଷଙ୍ଗିକ ସହଯୋଗ କରିଥିଲେ । କରୋନା ମୁକାବିଲା ନେଇ ସଭା ସମିତି,ଜନ ସମାଗମ ନିଷେଧ ନେଇ କଟକଣା ଥିବାରୁ ଏ କାର୍ଯ୍ୟକ୍ରମକୁ ସେ ସବୁଠାରୁ ଦୂରେଇ ରଖାଯାଇଥିଲା । ମୋ ସରକାର ଯୋଜନା ଏବଂ ରାଜସ୍ୱ ସେବା ପ୍ରଦାନ ବାବଦରେ ସଚେତନ କରାଯିବା ଆଭିମୁଖ୍ୟରେ ଏହି ରଥ ଡ଼ାକବାଜି ଯନ୍ତ୍ର ଦ୍ୱାରା ସୂଚନା ପ୍ରଦାନ ପୂର୍ବକ ଖୁଣ୍ଟା ତହସିଲ ଅଧିନ ୧୩୦ଟି ଗ୍ରାମକୁ ପରିକ୍ରମା କରିବ । ତହସିଲ କାର୍ଯ୍ୟାଳୟରୁ ମିଳୁଥିବା ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ଯେପରିକି ସ୍ଥାୟୀ ବାସିନ୍ଦା ଆୟ,ଜାତି,ଉତ୍ତରାଧିକାରୀ ,ଓବିସି ଓ ଏସ.ଇ.ବି.ସି ଆଦିର ଅବଧି ନ ସରିବା ପର୍ଯ୍ୟନ୍ତ ଅଯଥା ଖର୍ଚ୍ଚାନ୍ତ ନ ହେବା ଠିକ ସମୟରେ ଖଜଣା ପ୍ରଦାନ କରିବା ଆଦି ବିଷୟ ନେଇ ସଚେତନ କରାଯାଇଥିଲା। ବିଶେଷ କରି ଘରେ ଥାଇ ଓଡ଼ିଶାଲ୍ୟାଣ୍ଡ ରେଭ୍ୟୁନିଓ.ଏନଆଇସି.ଏନ ଜରିଆରେ ଅନଲାଇନରେ ଖଜଣା ପ୍ରଦାନ କରାଯିବା ପାଇଁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଉପଲକ୍ଷେ କାର୍ଯ୍ୟାଳୟ ସେକ୍ସନ ଅଫିସର ଡ଼ମ୍ବୁର ଧର ପୃଷ୍ଟି, ବରିଷ୍ଠ ରାଜସ୍ୱ ସହାୟକ ଶୁଭ୍ରକାନ୍ତ ବେହେରା,ଆଦି କନ୍ଦରାଜ, ପୁଷ୍ପାଞ୍ଜଳୀ ପାତ୍ର,କନିଷ୍ଟ ରାଜସ୍ୱ ସହାୟକ ମାନଓ ରଂଜନ ପରିଡ଼ା, ରାଜସ୍ୱ ନିରୀକ୍ଷକ ଜ୍ୟୋତି ପ୍ରକାଶ ଗିରି,ଭରତ ଟୁଡ଼ୁ, ଅଞ୍ଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।