କ୍ୟାପିଟାଲ ହସ୍ପିଟାଲରେ କରୋନା

(ସରୋଜ କୁମାର ରାଉତ)ଭୁବନେଶ୍ୱର: ସାରା ବିଶ୍ୱକୁ କରୋନା କବଳିତ କରିଥିବା ବେଳେ ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ କରାଯାଇଛି। କରୋନା ରୋଗୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଗତ ଦୁଇ ହେବ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଘର ଭୁବନେଶ୍ବରରେ ବୋଲି କୁହାଯାଉଛି। ସ୍ଥାନୀୟ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସ୍ୱାବ ପରୀକ୍ଷା କରାଯାଇଥିଲା । ରିପୋର୍ଟରୁ ଜଣାପଡ଼ିଛି ଯେ, ସଂପୃକ୍ତ ବ୍ୟକ୍ତି କରୋନା ପଜିଟିଭରେ ଆକ୍ରାନ୍ତ ଅଛନ୍ତି।
ସୂଚନା ଅନୁସାରେ ୩୧ ବର୍ଷିୟ ଯୁବକ ନିକଟରେ ଇଟାଲୀରୁ ଫେରିଥିଲେ। କରୋନା ସନ୍ଦେହରେ ସେ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ କ୍ୱାରେଣ୍ଟିନରେ ଭର୍ତ୍ତି ହୋଇଥିଲେ। ଏହା ପରେ ସେ ଗତ ୧୨ ତାରିଖରେ ଟ୍ରେନରେ ଭୁବନେଶ୍ୱର ଆସିଥିଲେ। ତେବେ ଗତ ୧୩ ତାରିଖରେ ଯୁବକ ଜଣଙ୍କୁ ଥଣ୍ଡା ସହିତ ଜ୍ବର ହେବାରୁ ସେ ଏଠାରେ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ ଏବଂ ଔଷଧ ଆଣି ଖାଇଥିଲେ। କିନ୍ତୁ ସେଥିରେ ଭଲ ନହେବାରୁ ଶନିବାର ସେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ତେବେ ଯୁବକ ଜଣକ ଇଟାଲିରୁ ଫେରିଥିବା ଏବଂ ତାଙ୍କଠାରେ କରୋନା ଲକ୍ଷଣ ଦେଖି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଇଥିଲେ।କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଂପୃକ୍ତ ଯୁବକଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ରବିବାର ରିପୋର୍ଟ ଆସିବା ପରେ ସେ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାଯାଇଛି ।
ଯୁବକ ଜଣକ ୧୨ରୁ ୧୪ ତାରିଖ ଯାଏ ୨ ଦିନ ଘରେ ଆସି ରହିଥିବାରୁ ମଧ୍ୟରାତ୍ରିରେ ତାଙ୍କ ବାପା ଓ ଚାକରଙ୍କୁ ମଧ୍ୟ ତାଙ୍କ ନିଜ ଘରେ ନିରୀକ୍ଷଣରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତିତ ଯୁବକ ଜଣକ ୧୨ ତାରିଖରେ ଯେଉଁ ଟ୍ରେନର ଯେଉଁ ନିର୍ଦ୍ଦିଷ୍ଟ ବଗିରେ ଆସିଥିଲେ, ସେଥିରେ ତାଙ୍କ ପାଖରେ ବସିଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମିତ ଥିବା ଖବର ଜଣାପଡ଼ିବା ପରେ ଅନ୍ୟ ରୋଗୀ ଓ ସେମାନଙ୍କର ପରିବାର ଲୋକେ ଭୟଭୀତ ହୋଇଯାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀମାନେ ହସ୍ପିଟାଲ ପହଞ୍ଚି ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି । କ୍ୟାପିଟାଲର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନା କରୁଛନ୍ତି । ଜରୁରୀ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି ।