କର୍ଣ୍ଣାଟକ ସରକାର ଭାଙ୍ଗିବା ପଛରେ ପେଗାସସ୍‌!

ନୂଆଦିଲ୍ଲୀ: ଦି ୱେୟାର ପ୍ରକାଶ କରିଥିବା ରିପୋର୍ଟ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି । ୨୦୧୯ରେ କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍ ଗଠନ କରିଥିବା ସରକାରର ବହୁ ସଦସ୍ୟଙ୍କ ଫୋନ ନମ୍ବର ପେଗାସସ୍ର ସମ୍ଭାବ୍ୟ ହ୍ୟାକ ତାଲିକାରେ ରହିଛି। ଅର୍ଥାତ୍ ସରକାର ଭୁଶୁଡିବାରେ ଏହି ସ୍ପାଇ କମ୍ପାନୀ ବିଜେପିକୁ ସହଯୋଗ କରିଥିଲା ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ-ଜେଡିଏସ୍ ସହ ଲିଙ୍କ ରହିଥିବା ବ୍ୟକ୍ତି ବିଶେଷଙ୍କ ଫୋନ ହ୍ୟାକ୍ କରାଯାଇ ଥିଲା କି ନାହିଁ, ସେକଥା ଜଣାପଡ଼ିନି। ।
ସରକାର ଭାଙ୍ଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଧାୟକଙ୍କ ବିଦ୍ରୋହର ଶିକାର ହୋଇଥିଲେ। ଏହି ସମୟରେ ସରକାରଙ୍କ ସହ ସକ୍ରିୟ ଭାବେ କାମ କରୁଥିବା ଲୋକଙ୍କ ଫୋନ୍ ନମ୍ବରକୁ ହ୍ୟାକ ପାଇଁ ଚୟନ କରାଯାଇଥିଲା। ପେଗାସସ୍ ସ୍ପାଇୱେୟାର ଟାର୍ଗେଟ ତାଲିକାରେ ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର, ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରୈମେୟାଙ୍କ ବ୍ୟକ୍ତିଗତ ସଚିବମାନଙ୍କ ଫୋନ ନମ୍ବର ରହିଥିଲା। କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକମାନେ ପରେ ବିଜେପିରେ ମଧ୍ୟ ଯୋଗ ଦେଇଥିଲେ। ବିଏସ୍ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହେବା ପରେ ଇସ୍ତଫା ଦେଇଥିବା ବିଧାୟକମାନେ ଉପ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ସରକାରରେ ମନ୍ତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି।