ଓଡିଶାରେ ଜଗା ବଳିଆ, ଏସସିବିରେ ହେବ ଆଗକୁ ଚିକିତ୍ସା

(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ୨ ବର୍ଷ ପରେ ଆଜି ଜଜ୍ଞାବଳିଆ କଟକ ବଡ ମେଡିକାଲରେ ପହଂଚିଛନ୍ତି । ଗତକାଲି ଏମ୍ସରୁ ଡିସଚାର୍ଜ ହୋଇଥିଲେ । ସେମାନଙ୍କୁ ଏକ ୧୧ ଜଣିଆ ଚିକିତ୍ସକ ଦଳ କଟକ ଆଣିଛନ୍ତି । ଜଜ୍ଞାବଳିଆଙ୍କ ଆଗମନ ଖବର ପ୍ରଚାର ହେବା ପରେ ସେମାନଙ୍କୁ ଦେଖିବାକୁ ଷ୍ଟେସନରେ ଲୋକଙ୍କ ନାହିଁ ନ ଥିବା ଭିଡ ଜମିଥିଲା ।
ଏବେ ସେମାନଙ୍କ ଚିକିତ୍ସା ଏସସିବିରେ ହେବ । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ କରାଯାଇଥିଲା । ତେବେ ଦିଲ୍ଲୀ ଏମସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏସସିବିରେ ସେମାନଙ୍କ ଚିକିତ୍ସା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରୀ ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରୀ ବିଭାଗ, ଜରୁରୀକାଳୀନ ମେଡିକାଲ ଅଫିସର, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି । ସ୍ବତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନରେ ସେମାନଙ୍କୁ ରଖାଯିବ ।