ଏକ ପରମାଣୁ ବିସ୍ଫୋରଣ ସଦୃଶ ବେରୁତ ଦୁର୍ଘଟଣା

ବେରୁତ: ଏକ ଶକ୍ତିଶାଳୀ ବିସ୍ଫୋରଣରେ ଲେବାନନ୍‌ର ରାଜଧାନୀ ବେରୁତ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏହି ବିସ୍ଫୋରଣରେ ବହୁ ସୁଉଚ୍ଚ ଅଟାଳିକା, ଶପିଂ ମଲ୍‌ ମାଟିରେ ମିଶିଯାଇଛି। ଯେଉଁ କୋଠା ଠିଆ ହୋଇଛି, ସେସବୁରେ କଳା ଧୂଆଁର ଆସ୍ତରଣ ଛାୟି ଯାଇଛି । ବିସ୍ଫୋରଣ ସ୍ଥଳରୁ ପ୍ରାୟ ୧୦ କିଲୋମିଟର ଦୂର ପର୍ୟ୍ୟନ୍ତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଦୀପ ଲିଭି ଯାଇଥିବା ବେଳେ ୩ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ବାସହରା ହୋଇଛନ୍ତି। ବିସ୍ଫୋରଣ ଏକ ଛୋଟ ପରମାଣୁ ବୋମା ବିସ୍ଫୋରଣ ଭଳି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ବୈଜ୍ଞାନିକଙ୍କ କହିବା ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୨୭୦୦ ଟନର ଅମୋନିଅମ ନାଇଟ୍ରେଟ କେମିକାଲ ବିସ୍ଫୋରକ ଥିବା ସଦୃଶ ଥିଲା । ଏଥିେରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏହା ଏକ ଦୁର୍ଘଟଣା କି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହଜାର ହଜାର ଲୋକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ହସ୍ପିଟାଲଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ ଆହତଙ୍କୁ ଚିକିତ୍ସା କରାଯାଇପାରୁ ନାହିଁ। ଯେଉଁ କେକେତ ହସ୍ପିଟାଲ କାର୍ୟ୍ୟ କରୁଛି ସେଠାରେ ରୋଗୀଙ୍କୁ ରଖିବାକୁ ସ୍ଥାନ ନାହିଁ। ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଲା ସେଠାରେ ୨୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ରଖାଯାଇଥିଲା। ଏହା ଏକ ଛୋଟ ପରମାଣୁ ବୋମା ବିସ୍ଫୋରଣ ସଦୃଶ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବିସ୍ଫୋରଣ ଯୋଗୁ ମାଇଲ୍‌ ମାଇଲ୍‌ ଦୂର ପର୍ୟ୍ୟନ୍ତ କୋଠା ଭୁଶୁଡ଼ି ପଡ଼ିବା ସହିତ କାଚ କବାଟ ଓ ଝରକା ଭାଙ୍ଗିଯିବାରୁ ବହୁ ଲୋକ ଆହତ ହୋଇଛନ୍ତି।