ଆହୁରି କଲବଲ କରିବ ତାତି , ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ରେକର୍ଡ

ଦିନକୁ ଦିନ ତାତି ବଢି ଜନଜୀବନକୁ କଲବଲ କରିସାରିଲାଣି ।

(ଭୁବନେଶ୍ୱର) : ଦିନକୁ ଦିନ ତାତି ବଢି ଜନଜୀବନକୁ କଲବଲ କରିସାରିଲାଣି । ତେବେ ରାତିରେ ବି ତ୍ରାହି ନାହିଁ । ଏବେ ଏ ଗ୍ରୀଷ୍ମର ଉତ୍ତାପ କମିବନାହିଁ । ବରଂ ତାତି ଆହୁରି ବଢ଼ିପାରେ । ୫/୬ ଦିନ ଯାଏଁ ବିଶେଷ ବର୍ଷା ଆଶା ନାହିଁ । ଏମିତିକି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ଏଭଳି ଅସହ୍ୟ ତାତି ପ୍ରକୋପ ଜାରି ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି ।

ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିର ୪୩.୫, ଟିଟିଲାଗଡ଼ ୪୩, ସମ୍ବଲପୁର ୪୩ ଡିଗ୍ରୀରେ ଛଟପଟ ହୋଇଥିଲା । ଉପକୂଳରେ ପାରଦ ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ଭୀଷଣ ଗୁଳୁଗୁଳି ଯୋଗୁ ଅସହ୍ୟ ଯନ୍ତ୍ରଣା କହିଲେ ନସରେ ।

ସୋଆ ବିଶ୍ୱବିଦ୍ୟାଳୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଜୁନ୍‌ ପ୍ରଥମ ସପ୍ତାହରେ ରାଜ୍ୟରେ ତାତି ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଯେମିତି ଜଳୁଛି, ଜଳିବ । ଉପକୂଳ ଓଡ଼ିଶାରେ ଆସନ୍ତା ୪/୫ ତାରିଖବେଳକୁ ପାରଦ ୪୨-୪୩ ଡିଗ୍ରୀ ଛୁଇଁପାରେ । ତା’ଠାରୁ ଉପରକୁ ବି ଡେଇଁପାରେ । ୯ ତାରିଖ ଯାଏ ଗରମରୁ ନିସ୍ତାର ନାହିଁ ।