ବନ୍ଦୀଙ୍କୁ ଛାଡିଲେ, ଯୁଦ୍ଧ ବନ୍ଦ ହେବ…

ଯୁଦ୍ଧକୁ ୩ ବର୍ଷ ପୂରିବା ଅବସରରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ରୁଷ୍‌କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ସେମାନଙ୍କର ଯୁଦ୍ଧବନ୍ଦୀମାନଙ୍କୁ ସଂପୂର୍ଣ୍ଣଭାବେ ମୁକ୍ତ କରିବା ଆବଶ୍ୟକ। ଯୁଦ୍ଧର ଅବସାନ ପାଇଁ ଏହା ପ୍ରଥମ ପ୍ରକ୍ରିୟା ବୋଲି ଜେଲେନସ୍କି କହିଛନ୍ତି। ରୁଷ୍‌ ୟୁକ୍ରେନୀୟମାନଙ୍କୁ ନିଶ୍ଚିତଭାବେ ଛାଡ଼ିବା ଆବଶ୍ୟକ। ୟୁକ୍ରେନ ମଧ୍ୟ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ରୁଷ୍‌ ଆକ୍ରମଣର ତୃତୀୟ ବର୍ଷ ଉପଲକ୍ଷେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଜେଲେନ୍‌ସ୍କି ଏହା କହିଛନ୍ତି।

 

ଚଳିତବର୍ଷ ୟୁକ୍ରେନରେ ଦୀର୍ଘମିଆଦୀ ଏବଂ ନିରନ୍ତର ଶାନ୍ତି ବଜାୟ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ପୁଟିନ ଆମକୁ ଶାନ୍ତି ଦେବେନାହିଁ। କିନ୍ତୁ ଆମକୁ ଆମର ଶକ୍ତି, ଜ୍ଞାନ ଏବଂ ଏକତା ବଳରେ ଶାନ୍ତି ହାସଲ କରିବାକୁ ହେବ ବୋଲି ସେ ମତ ଦେଇଛନ୍ତି। ୟୁକ୍ରେନ ଏବଂ ଜେଲନ୍‌ସ୍କିଙ୍କ ପଛରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ୩ ବର୍ଷ ଧରି ଛିଡ଼ା ହୋଇଥିଲେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାପରେ ସମୀକରଣ ବଦଳିଯାଇଛି।

ଯୁଦ୍ଧ ଗୁରୁତ୍ବପୂର୍ଣ୍ଣ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକଠାରୁ ୟୁକ୍ରେନ ସାମରିକ ଓ ଆର୍ଥିକ ସହାୟତା ପାଇବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ କୂଟନୈତିକ ସହାୟତା ରୁଷ୍‌କୁ ଏବେ ମିଳୁଛି। ଯୁଦ୍ଧ ଶୀଘ୍ର ବନ୍ଦ କରିବା ପାଇଁ ଟ୍ରମ୍ପ ଉଭୟ ରୁଷ୍‌ ଓ ୟୁକ୍ରେନକୁ ପରାମର୍ଶ ଦେଇଛନ୍ତି। ରୁଷ୍‌ର ଆଭିମୁଖ୍ୟ ସଂପର୍କରେ କ୍ରେମଲିନ ସ୍ପଷ୍ଟ କରିଛି। ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣରେ ନିଜ ଅକ୍ତିଆରକୁ ନେଇଥିବା କୌଣସି ଅଞ୍ଚଳରୁ ରୁଷ୍‌ ଛାଡ଼ିବ ନାହିଁ। ଏଥିସହିତ ୟୁକ୍ରେନ ନାଟୋର ସଦସ୍ୟ ହେବାକୁ ମଧ୍ୟ ମସ୍କୋ ଗ୍ରହଣ କରିବ ନାହିଁ ବୋଲି କହିଛି।