(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆମେ ଆଧୁନିକ ଯୁଗରେ ବଞ୍ଚୁଛେ ସତ । କିନ୍ତୁ ଏହି ଆଧୁନିକ ଯୁଗରେ ନାରୀକୁ ଆଜି ବି ସମ୍ମାନ ଓ ଅଧିକାରୀକୁ କେଉଁଠି ନା କେଉଁଠି ବଞ୍ଚିତ କରି ରଖିଛେ । ଆଜି ନାରୀ ସମାଜରେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରହିଛି । ତାକୁ ଏହି ସମାଜ ଜନ୍ମ ହେବା ଆଗରୁ ପେଟରେ ମାରିବାକୁ ମଧ୍ୟ ପଛାଉନାହିଁ । ହେଲେ ସେହି ଅଲୋଡ଼ା ଅପୋଛା ନାରୀ ବତର୍ମାନ ଅନ୍ୟ ର ଜୀବନ ରକ୍ଷା କରିବାରେ ଲାଗି ପଡ଼ିଛି । ନିଜେ ମରି ନିଜ ଶରୀରକୁ ଦାନ କରି ସମାଜରେ ଅମର ରହିବାର ଉପସ୍ଥିତି ଜାହିର କରିଛି ।
ଆଜି ଆଉ ଏକ ମହିଳା ଅଙ୍ଗଦାନ କରି ନିଜ ଅମର କାହାଣରକୁ ନିଜେ ରଚିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ(ବ୍ରେନ୍ ଡେଡ୍) ରାଜଲକ୍ଷ୍ମୀ ଦାସଙ୍କ କିଡନୀ ଅଣାଯାଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହନ୍ତଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ଏକ ମାସ ମଧ୍ୟରେ ରାଜ୍ୟରେ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।
ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଗତ ୨ ତାରିଖରେ ସ୍କୁଟରରେ ବସି ଘରକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ। ପରିବାରଲୋକ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଚିକିତ୍ସା ସମ୍ଭବ ନ ହେବାରୁ ରାଜଲକ୍ଷ୍ମୀଙ୍କୁ ପରିବାର ଲୋକ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ବୁଧବାର ସକାଳେ ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍(ମସ୍ତିଷ୍କ ମୃତ) ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ୟ୍ୟ ତୁରନ୍ତ ହାଇଟେକ୍ ହସ୍ପିଟାଲରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ସ୍ୱାମୀ ଅଭିମନ୍ୟୁଙ୍କ ସମେତ ପରିବାର ସଦସ୍ୟଙ୍କୁ ଅଙ୍ଗଦାନର ମହତ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ। ଦୀର୍ଘ ସମୟ ଆଲୋଚନା ପରେ ପରିବାର ଲୋକ ରାଜଲକ୍ଷ୍ମୀଙ୍କ କିଡ୍ନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ।
ଯଦି କୌଣସି ଅଘଟଣ ନ ଘଟେ, ତେବେ ଆଜି ସକାଳେ ରୀତାରାଣୀଙ୍କ ଶରୀରରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ଏସ୍ସିବି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।
ପୂର୍ବରୁ ପ୍ରିୟଙ୍କାରାଣୀ ଓ ସୁଚିତ୍ରା ମୃତ୍ୟୁ ପରେ ନିଜର ଅଙ୍ଗଦାନ କରି ଅମର କାହାଣୀ ରଚିଛନ୍ତି । ଯାହାକୁ ଆଜବିି ସମ୍ମାନ କରୁଛି ଏହି ସମାଜ । ହୁଏତ ନାରୀ ଙ୍କ ଏହି ତ୍ୟାଗ ଗୁଣରୁ ସମାଜର ମାନସିକତାରେ କିଛି ଟା ପରିବର୍ତ୍ତନ ଆସିିବ ।