ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ

ଭୁବନେଶ୍ୱର: ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମାାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ ।

ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା । ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାମାୟା । ସକାଳୁ ଉପଚାର ପୂଜା ସହ ଅନୁଷ୍ଠିତ ହେଉଛି ନୀତିକାନ୍ତି । ଅପରାଜିତା ପୂଜା ଶେଷ ପରେ ମଣ୍ଡପରେ ଘଟ ବିସର୍ଜନ ହୋମଯଜ୍ଞ ପାଳିତ ହେବ । ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । ମାଆଙ୍କ ଦର୍ଶନ କରି ସୌଭାଗ୍ୟ ଲାଭ କରୁଛନ୍ତି ହଜାର ହଜାର ଭକ୍ତ । ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୂରଖେଳ ହେବ । ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୂର ଲଗାଇ ପରସ୍ପର ମଧ୍ୟରେ ସିନ୍ଦୂର ଖେଳିବେ । ସଂଧ୍ୟାରେ ରାବଣପୋଡି ଅନୁଷ୍ଠିତ ହେବ ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ମିହଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେବେଳେ ତ୍ରାହି ତ୍ରାହି ଡାକିଲେ ଏବଂ ପୃଥିବୀ ଭୟରେ ଥରହର ହେଉଥିଲା ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା’ ଦୁର୍ଗତିନାଶିନୀ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ । ଶେଷରେ ଦେବୀ ସିଂହବାହିନୀ ମହିଷାସୁର ସହ ଯୁଦ୍ଧ କରିଥିଲେ । ଦେବୀ ଶୂଳଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ଡରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।