କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ତରଫରୁ ପଶୁ ଚିକିତ୍ସା ଶିବିର ଓ କାର୍ଯ୍ୟଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିପାଟଣା/ବିଦ୍ୟାଭୂଷଣ ଭୋଳ: ଗତକାଲି ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ, ନରିଶୋ ପଞ୍ଚାୟତ ସମିତି ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ, ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ସି.ୱା), ଭୁବନେଶ୍ୱର ତରଫରୁ ପଶୁ ଚିକିତ୍ସା ଶିବିର ଓ କାର୍ଯ୍ୟଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଧାନ ବୈଜ୍ଞାନିକ ଡଃ ଅରୁଣ କୁମାର ପଣ୍ଡା, ପ୍ରଧାନ ବୈଜ୍ଞାନିକ ଡଃ ବିଶ୍ୱନାଥ ସାହୁ (ଆଇ ସି ଏ ଆର ସି.ୱା), ଡଃ ଦୁର୍ମନ କୁମାର ବେହେରା, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ବାଲିପାଟଣା, ସି.ୱାର ବୈଷୟିକ ସହାୟକ ଗୌତମ ପରିଡା, ମାହିରା କୃଷକ ଉତ୍ପାଦକ ସଂଗଠନର ଚେୟାରମ୍ୟାନ ଶ୍ରୀମତୀ କୁମୁଦିନୀ ସ୍ୱାଇଁ, ଉଦ୍ୟୋଗୀ ଶ୍ରୀ ତୁଷାର ପ୍ରଧାନ ଓ ଡି ଏନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଶିବିରରେ ଶ୍ରୀରାମପୁର ଓ ସରାଟ ଗ୍ରାମର ୧୦ଟି ଅନୁସୂଚିତ ଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ । ଯୋଉଁମାନଙ୍କୁ କି ପୂର୍ବରୁ ସି.ୱା ମାଧ୍ୟମରେ ମାଗଣାରେ ଛେଳି ଯୋଗାଇ ଦିଆଯାଇଥିଲା । ଏମାନେ ନିଜ ଛେଳିମାନଙ୍କୁ ଧରି ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣ କରିଥିଲେ ଓ ସେମାନଙ୍କ ଛେଳିର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶିବିରରେ ଶ୍ରୀରାମପୁର ଓ ସରାଟ ଗ୍ରାମର ପଶୁ ଯଥା; ଗାଈ, ଛେଳି, ମେଣ୍ଢାମାନଙ୍କର ରୋଗ ନିଦାନ କରାଯାଇଥିଲା । ଏହା ସହିତ ଛେଳି ପାଳନ କ୍ଷେତ୍ରରେ ମହିଳା କୃଷକମାନଙ୍କୁ ସଂଶକ୍ତିକରଣ ନିମନ୍ତେ କାର୍ଯ୍ୟଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ସି.ୱାର ପ୍ରଧାନ ବୈଜ୍ଞାନିକ ଡଃ ବିଶ୍ୱନାଥ ସାହୁ ଛେଳି ପାଳନ କିପରି ଲାଭଜନକ ଚାଷ ହେଇପାରିବ ତାହା ଉପସ୍ଥିତ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ସି.ୱାର ପ୍ରଧାନ ବୈଜ୍ଞାନିକ ଡଃ ଅରୁଣ କୁମାର ପଣ୍ଡା କୁକୁଡ଼ା ପାଳନ ଉପରେ ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ବାଲିପାଟଣା ସରକାରୀ ଯୋଜନା ଦ୍ୱାରା କିପରି ଚାଷୀ ରୋଜଗାରକ୍ଷମ ହୋଇପାରିବ ସେ ବିଷୟରେ ଦିଗଦର୍ଶନ ଦେଇଥିଲେ ।