ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ଭୁବନେଶ୍ଵର: ଶାରଦୀୟ ନବରାତ୍ରୀଙ୍କ ପବିତ୍ର ପର୍ବ ଚାଲିଛି। ଆଜି ହେଉଛି ନବରାତ୍ରୀର ସପ୍ତମ ଦିନ। ନବରାତ୍ରିର ସପ୍ତମ ଦିନକୁ ମହାସପ୍ତମୀ କୁହାଯାଏ। ଏହି ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ଶକ୍ତି ମା’ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ମା’ ଦୁଷ୍ଟମାନଙ୍କ ପାଇଁ କାଳ ହୋଇଥିବାରୁ ତାଙ୍କୁ କାଳରାତ୍ରୀ ଭାବେ ପୂଜା କରାଯାଏ। ଏହି ଦେବୀ ସର୍ବଦା ତାଙ୍କ ଭକ୍ତମାନଙ୍କୁ ଶୁଭ ଫଳ ପ୍ରଦାନ କରନ୍ତି। ଏହି କାରଣରୁ ଦେବୀଙ୍କୁ ଶୁଭଙ୍କରୀ ମଧ୍ୟ କୁହାଯାଏ। ମା’ ଦୁର୍ଗାଙ୍କ ସପ୍ତମ ରୂପ ମା’ କାଳରାତ୍ରୀଙ୍କ ତିନିଟି ଆଖି ଥାଏ।

ମା’ଙ୍କ ଉପାସନା ଭୟ ଏବଂ ରୋଗକୁ ନାଶ କରେ। ଏହା ସହିତ ଭୂତ-ପ୍ରେତ, ଅକାଳ ମୃତ୍ୟୁ, ରୋଗ, ଦୁଃଖ ଇତ୍ୟାଦି ସମସ୍ତ ପ୍ରକାରର ସମସ୍ୟାର ମଧ୍ୟ ଶେଷ କରିଥାଏ ବୋଲି ବିଶ୍ୱାସ ରହିଛି। ନବରାତ୍ରିର ସପ୍ତମୀ ରାତ୍ରିକୁ ସିଦ୍ଧିର ରାତି ବୋଲି କୁହାଯାଏ। ଏହି ଦିନ ଦେବୀଙ୍କୁ ପୂଜା କରିବା ଦ୍ୱାରା ରୋଗର ନାଶ ହୋଇଯାଏ ଏବଂ ଶତ୍ରୁମାନଙ୍କ ଉପରେ ବିଜୟ ହୁଏ। ଏଭଳି ପରିସ୍ଥିତିରେ ଗ୍ରହର ପ୍ରତିବନ୍ଧକ ଏବଂ ଭୟ ଦୂର କରୁଥିବା ଦେବୀଙ୍କୁ ନବରାତ୍ରୀର ସପ୍ତମ ଦିନରେ ପୂଜା କରାଯିବା ବିଧି ରହିଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ଷଷ୍ଠୀ ପୂଜା କରାଯାଇଥିଲା । ଢୋଲ ମୃଦଙ୍ଗର ବାଦ୍ୟରେ ସାରା ରାଜ୍ୟର ଦେବୀ ପୀଠ ସହ ସମସ୍ତ ପୂଜା ମଣ୍ଡପ ଉଠୁଛି ପଡୁଛି । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିବେ ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି ।

ଦେବୀଙ୍କ ସପ୍ତମ ରୂପ ହେଉଛି କାଳରାତ୍ରି ରୂପ । କାମ, କ୍ରୋଧ,ଶତୃଙ୍କୁ ବିନାଶ କରିଥିବାରୁ ମା’ଙ୍କୁ କାଳରାତ୍ରୀ ବୋଲି କୁହାଯାଏ । ମା’ଙ୍କ ରଙ୍ଗ ସମ୍ପୂର୍ଣ୍ଣ କଳା ଏବଂ ସମସ୍ତ କଳା ରଙ୍ଗର ବସ୍ତ୍ର ଓ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ କେଶ ମୁକୁଳା କରି ହସ୍ତରେ ଖଡ୍ଗ ଧରି ଗଧ ଉପରେ ବସି ବିରାଜମାନ କରିଥାନ୍ତି । ଏହାସହିତ ମା’ଙ୍କର ତିନୋଟି ନେତ୍ର ରହିଛି । ମା’ଙ୍କର ଏହି ରୂପ ଖୁବ୍ ଭୟଙ୍କର । ବିଶେଷ କରି ତାନ୍ତ୍ରିକ ଶକ୍ତି ପାଇଁ ମା’ଙ୍କ ପୂଜା କରାଯାଏ । ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିବା ସହ ଶତୃ ବିନାଶ ହୋଇଥାଏ । ଏହାସହିତ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।