କାଳବୈଶାଖୀ ପ୍ରଭାବ: ୫ ଦିନ ଯାଏ ବର୍ଷା-ଝଡ଼ ସତର୍କତା

Bhubaneswar: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଝଡ଼ପବନ ଜାରି ରହିଛି। ଏହି ପରିସ୍ଥିତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଚାଲିଥିବା ବୋଲି IMD ପକ୍ଷରୁ ସୂଚନା ମିଳିଛି। ଗୁରୁବାର ୧୦ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାବେଳେ କଟକ ଓ ଢେଙ୍କାନାଳରେ କୁଆପଥର ବର୍ଷା ହେବାର ପୂର୍ବାନୁମାନ ରହିଛି। ଏହା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ।

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ତୀବ୍ର ବର୍ଷା ଓ ଝଡ଼ପବନ ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ୨୩ ତାରିଖ ପର୍ଯ୍ୟନ୍ତ ଏହି ଝଡ଼ବର୍ଷା ଜାରି ରହିବ। ବିଜୁଳି ଘଡ଼ଘଡ଼ି ଓ କୁଆପଥର ପଡିବା ସମୟରେ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।