ଆଜି ମାଘ ସପ୍ତମୀ : ବୁଡ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ : ମାଘ ସପ୍ତମୀ  ବୁଡ ପକାଇବାକୁ ଲାଗିଛି ଗହଳି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ଅର୍କକ୍ଷେତ୍ର କୋଣାର୍କରେ  । ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା।

ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।