ପୁଲିସ ପ୍ରଶାସନ ଆଖିରେ ଅନ୍ଧପୁଟୁଳି

(ଅନୁଗୁଳ/ଜ୍ୟୋତିରଂଜନ ଧର) : କଟକଣାକୁ ମାସେ ଯାଇନି ପୁଣି ଥରେ ନୋ-ପାର୍କିଂ ଜୋନ୍ରେ ଶହ ଶହ ଭାରିଯାନ । ଏଥର ପରିବହନ ସଂସ୍ଥା ପ୍ରଶାସନକୁ ଖୋଲା ଚ୍ୟାଲେଂଜ୍ ଦେଇ ରାସ୍ତା ଉଭୟ କଡରେ ନିତି ଛିଡା ହେଲେଣି କୋଇଲା ବୋଝେଇ ଟ୍ରକ୍ । ଘଟଣାରୁ ପ୍ରକାଶ ଯେ, କଣିହାଁ- ଗୋଡିବନ୍ଧ ରାସ୍ତା(୫୩ନମ୍ବର ଜାତୀୟ ରାଜପଥ)ରେ ତାଳଚେର ରୁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ୍ କମ୍ପାନୀକୁ ନିତି ଶହ ଶହ ଟ୍ରକ୍ରେ କୋଇଲା ପରିବହନ ହୋଇଥାଏ । । ଏପରିକି ବେପରୁଆ ଗାଡି ଚାଳଣା ଯୋଗୁଂ ସ୍ଥାନୀୟ ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । କୋଇଲା ଗାଡି ଦିନ ବେଳେ ଏନ୍ଏଚ୍ ଏଆଇ ପକ୍ଷରୁ ବିଭିନ୍ନ ଠିକାସଂସ୍ଥା ଟ୍ରକ୍, ହାଇୱା, ଟିପର ଯୋଗେ ନିତି ଶତାଧିକ ୨୪ଘଣ୍ଟିଆ ପାଉଁସ ପରିବହନ ଚାଲିଛି । ଡେରେଙ୍ଗ ଜେଆଇଟିପିଏଲ୍ ଅଭିମୁଖେ କୋଇଲା ଗାଡି ରାତି ୧୦ପରେ ଗୋଡିବନ୍ଧ ଫାଣ୍ଡି – ଏନଟିପିସି କଣିହାଁକୁ ଆସିବାର ନୀୟମ ରହିଛି । ଏଥିରେ ଚେକ୍ ଲଗାଇବା ପାଇଁ ସମଲ ପୋଲିସ୍ ଯଦୁନାଥପୁର ଢାବା ନିକଟ ରାଜପଥ ଠାରେ ହୋମଗାର୍ଡ ମଧ୍ୟ ନିୟୋଜିତ ହୋଇଛନ୍ତି । ମାତ୍ର ଗାଡି ଗୁଡିକ ଦିନ ବେଳା ଆସି ନୋ ପାର୍କିଂ ଜୋନ୍ରେ ଠିଆ ହୋଇ ରହୁଛନ୍ତି । ସମୟ ସୁବିଧା ଦେଖି ସଲାସୁତରା ହେବାପରେ ଗାଡି ବଲାଙ୍ଗି- ନକନକା-ଏନଟିପିସି ବାଇପାସ୍ ରାଜପଥ ଅଭିମୁଖେ ଆସି ରାସ୍ତାର ଉଭୟ କଡରେ ପାର୍କିଂ କରି ରହୁଛନ୍ତି । ଫଳରେ ଦିନ ବେଳା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି । ଦୁଇଟି ଗାଡି ଅତିକ୍ରମ କରିବା ପାଇଁ ଜାଗା ନଥିବାରୁ ଦୁର୍ଘଟଣା ଘଟୁଛି । ସେପଟେ ଏନଟିପିସି ପାଉଁସ ବୋଝେଇ ଗାଡି ଠାରୁ ଆରମ୍ଭ ସାଧାରଣଯାତ୍ରୀ ଯାତାୟତ କରୁଛନ୍ତି । ସାମନ୍ୟ ଅସାବଧାନ ହେଲେ ଧନ,ଜୀବନୀ ହାନୀ ହେବାର ଆଶଙ୍କା ରହୁଛି । ତେବେ ଏତେ ସବୁ ଜାଣି ମଧ୍ୟ ପୁଲିସ କାହିଁକି ଚୁପ ଅଛି ବୋଲି ପ୍ରଶ୍ନ ଉଠୁଛି । ପରିବହନ ଗାଡି ମାଲିକ, ଜେଆଇଟିପିଏଲ୍ କମ୍ପାନୀ ଅଥବା ଜନସାଧାରଣତା; କାହା ସ୍ୱାର୍ଥପାଇଁ ପୁଲିସ୍ କାମକରୁଛି ବୋଲି ପ୍ରଶ୍ନ ଉଠିଲାଣି ।